ଜୟପାଟଣାରେ ଆଦିବାସୀ ଭବନ ପାଇଁ ଭୂମିପୂଜନ ସମ୍ପନ୍ନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଆଦିବାସୀ ସଂଘ ଆୟୋଜନରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଠାରେ ଆଦିବାସୀ ଭବନ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଭକ୍ତିମୟ ଓ ପାରମ୍ପରିକ ପରିବେଶରେ ସମ୍ପନ୍ନ ହୋଇଛି । ସଂଘର ସଭାପତି ମନୋଜ ପାତ୍ରଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ପ୍ରଦୀପ କୁମାର ଦିଶାରୀ, ବିଧାୟକ, ଲାଞ୍ଜିଗଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଦିବାସୀ ସମାଜର ସାମୂହିକ ଉନ୍ନତି ପାଇଁ ଏପରି ଭବନ ଗୁଡ଼ିକର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡିଷ୍ଟ୍ରିକ ଆଦିବାସୀ ସଂଘ କଳାହାଣ୍ଡି ସଭାପତି ପ୍ରକାଶ ମାଝି, ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ଗଙ୍ଗାଧର ମାଝି, ଜିଲ୍ଲା ଆଦିବାସୀ ସଂଘ ସମ୍ପାଦକ ଋତୁରାଜ ମାଝୀ ଓ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ କୋଷାଧ୍ୟକ୍ଷ ମହେଶ୍ୱର ମାଝି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ଆଦିବାସୀ ନେତା ବିଜୟ ଦିଶାରୀ, ଅଙ୍ଗଦ ମାଝୀ, ରାଜେନ୍ଦ୍ର ଭୋଇ, ଜୟପାଟଣା ଆଦିବାସୀ ସଂଘର କାର୍ଯ୍ୟକାରୀ ସଭାପତି ଗଙ୍ଗାଧର ପାତ୍ର, ସମ୍ପାଦକ ପୁରୁଷୋତ୍ତମ ମାଝି, ଉପସଭାପତି ଜଗମୋହନ ମାଝି ଓ ଡମ୍ବରୁଧର ନାଏକ ସହ ଅନେକ ସଂଗଠନ ପ୍ରତିନିଧି, ସରପଞ୍ଚ, ସମିତି ସଭ୍ୟ, ଗୌନ୍ତିଆ, ଗ୍ରାମ ପୁଜାରୀ ଓ ଶତାଧିକ ଆଦିବାସୀ ମହିଳା–ପୁରୁଷ ଯୋଗଦେଇଥିଲେ । ଖଲିଆଭଟା ଗ୍ରାମ ପୂଜାରୀ ବୀରପ୍ରତାପ ପୂଝାରୀଙ୍କ ନେତୃତ୍ୱରେ ମା’ ମାଉଳୀ ପୀଠରୁ ପୂଜାର୍ଚ୍ଚନା କରି ପଦଯାତ୍ରା ମାଧ୍ୟମରେ ଭବନ ନିର୍ମାଣ ସ୍ଥଳରେ ମାଟି ମା’ଙ୍କ ପୂଜାର୍ଚ୍ଚନା ଓ ଶୁଭଖମ୍ବ ସ୍ଥାପନ କରାଯାଇ, ସମସ୍ତ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ରୀତିନୀତି ଅନୁଯାୟୀ ଭୂମିପୂଜନ ସମ୍ପନ୍ନ କରାଯାଇଥିଲା । ଉଲ୍ଲେଖନୀୟ ଯେ, ସରକାରଙ୍କ ତରଫରୁ ସ୍ଥାନୀୟ ଖଲିଆଭଟା ଠାରେ ଆଦିବାସୀ ଭବନ ନିର୍ମାଣ ପାଇଁ ୨୦ ଡିସିମିଲ ଜମି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.