ଆଧୁନିକ ଜୀବନ ଶୈଳୀରେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଭୂମିକା

ରାଉରକେଲା, (ସସ୍ମିତା ପ୍ରଧାନ) : ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମନୁଷ୍ୟ ବିଜ୍ଞାନକୁ ନେଇ ଅଗ୍ରଗତି କରି ସୁଖ ସ୍ୱାଚ୍ଛନ୍ଦ୍ୟର ଜୀବନ ଗଢ଼ି ତୋଳିଛି । କିନ୍ତୁ ପ୍ରକୃତ ଆତ୍ମାର ସୁଖ ଓ ଶାନ୍ତିର ଅନୁସନ୍ଧାନରେ ମନୁଷ୍ୟ ଆଜି ଆଧ୍ୟାତ୍ମିକତା ଆଡ଼କୁ ଆଗେଇ ଚାଲିଛି ମନରେ ଅସୁମାରୀ ପ୍ରଶ୍ନ ନେଇ । ଏହାରି ଉପରେ ଆଲୋଚନା କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ‘କର୍ପୋରେଟ ଆଶ୍ରମ’ ଏବଂ ‘ରାଉରକେଲା ଆସୋସିଏସନ୍ ଫର୍ ବାୟୋଜେନେସିସ୍ ଅଫ୍ ସାଇନ୍ସ ଏଣ୍ଡ ସ୍ପିରିଚୁଆଲିଟି’ (ଆର୍.ଏ.ବି.ଏସ୍‌.ଏସ୍‌.)ର ମିଳିତ ଉଦ୍ୟମରେ ଛେଣ୍ଡ୍ କଲୋନୀ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନା ଚକ୍ରର ଶୀର୍ଷକ ଥିଲା ‘ମାନବ ଜୀବନ ଚର୍ଯ୍ୟାରେ ବିଜ୍ଞାନ ଓ ଆଧ୍ୟାତ୍ମିକତାର ପ୍ରଭାବ । ଆଲୋଚକ ଭାବେ ହାଇଟେକ୍ ମେଡିକାଲ୍ କଲେଜର ଉପ ଅଧୀକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ରାଉରକେଲା ଇସ୍ପାତ କାରଖାନାର ସେବା ନିବୃତ୍ତ ସହ ମହାପ୍ରବନ୍ଧକ ସୁବାସ ଚନ୍ଦ୍ର ମହାପାତ୍ର, ଖ୍ୟାତନାମା ଯୋଗ ଗୁରୁ ତଥା ସମାଜସେବୀ ଶ୍ରୀକାନ୍ତ ଷଡ଼ଙ୍ଗୀ, ଏହି ବିଷୟ ଉପରେ ଆଲୋକପାତ କରିବା ସହ ବହୁ ମୂଲ୍ୟବାନ ଓ ଜ୍ଞାନଗର୍ଭକ ତତ୍ୱ ସମ୍ମୀଳିତ ବ୍ୟାଖ୍ୟା କରିଥିଲେ । ପ୍ରାରମ୍ଭରେ କର୍ପୋରେଟ ଆଶ୍ରମର ପ୍ରତିଷ୍ଠାତା ସଦସ୍ୟା ଲିପ୍ସା ମହାନ୍ତି, ଆର୍.ଏ.ବି.ଏସ୍‌.ଏସ୍‌.ର ଉପ ସଭାପତି ଦେବ ପ୍ରସାଦ ମହାପାତ୍ର ଏବଂ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଲିପ୍ସା ମହାନ୍ତି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଦେବ ପ୍ରସାଦ ମହାପାତ୍ର ଆର୍.ଏ.ବି.ଏସ୍‌.ଏସ୍‌.ର ଜନ୍ମ, ଗଠନ ଓ ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପୁରାତନ ଭାରତୀୟ ସଂସ୍କୃତି, ବିଜ୍ଞାନ, ପାଶ୍ଚାତ୍ୟ ଏବଂ ଭାରତୀୟ ବୈଜ୍ଞାନିକ ତଥା ଭାରତର ଆଧ୍ୟାତ୍ମିକ ଗୁରୁ ମାନେ କିପରି ବିଜ୍ଞାନ ଓ ଆଧ୍ୟାତ୍ମିକତା, ଗୋଟିଏ ମୁଦ୍ରାର ଦୁଇଟି ପାଖ ତାହା ନିଜର ପାଣ୍ଡିତ୍ୟ ପୂର୍ଣ୍ଣ ଅଭିଭାଷଣରେ ବର୍ଣ୍ଣନା କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ସୁବାସ ଚନ୍ଦ୍ର ମହାପାତ୍ର ଶକ୍ତି କେତେ ପ୍ରକାର ଓ ସାରା ବ୍ରହ୍ମାଣ୍ଡରେ ତା’ର ଗୁରୁତ୍ଵ, ଅହଂର ସ୍ୱରୂପ ଏବଂ ଏହାର ଆବଶ୍ୟକତା ସମ୍ପର୍କରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବୁଝାଇଥିଲେ । ଶ୍ରୀକାନ୍ତ ଷଡ଼ଙ୍ଗୀ ଯୋଗ, ବିଜ୍ଞାନ ଓ ଆଧ୍ୟାତ୍ମିକତାର ସଂଜ୍ଞା ଏବଂ ସେମାନେ କିପରି ପରସ୍ପର ପରିପୂରକ ଖୁବ୍ ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ଆର୍.ଏ.ବି.ଏସ୍‌.ଏସ୍‌.ର ସାଧାରଣ ସମ୍ପାଦକ ଡଃ. ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସୁନ୍ଦର ଶବ୍ଦ ସମନ୍ୱୟରେ ତିନିଜଣ ବକ୍ତାଙ୍କର ବକ୍ତବ୍ୟକୁ ସଂକ୍ଷେପରେ ରଖି ବିଶ୍ଵର ସୃଷ୍ଟି, ପୃଥିବୀରେ ମଣିଷ ଓ ବିଜ୍ଞାନର ଅଗ୍ରଗତି ସହିତ ଆଧ୍ୟାତ୍ମିକତାର ଗୁରୁତ୍ୱ ଉପରେ ନିଜର ମତ ପ୍ରଦାନ କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ରାଉରକେଲାର ଅନେକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.