ଚିକିତ୍ସାବିଜ୍ଞାନରେ ପାଥୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ

  • ସିଡବ୍ଲୁଏସ ହସ୍ପିଟାଲ୍‌ରେ ଜାତୀୟ ପାଥୋଲୋଜି ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ବିଶ୍ୱରେ ପାଥୋଲୋଜି ରିପୋର୍ଟ ବିନା ଚିକିତ୍ସା କରିବା ଅସମ୍ଭବ । ଚିକିତ୍ସାବିଜ୍ଞାନରେ ନିଶ୍ଚିତ ରୂପେ ପାଥୋଲଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସିଡବ୍ଲୁଏସ ହସ୍ପିଟାଲ୍‌ ସଦା ସର୍ବଦା ପାଥୋଲୋଜି ରିପୋର୍ଟକୁ ଗୁରୁତ୍ୱ ଦେଇ ଆସୁଛି ଏବଂ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ହସ୍ପିଟାଲ୍‌ ଚିକିତ୍ସା କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି ବୋଲି ଗୁରୁବାର ସିଡବ୍ଲୁଏସ ହସ୍ପିଟାଲ ପରିସରରେ ଆୟୋଜିତ ଜାତୀୟ ପାଥୋଲୋଜି ଦିବସ ପାଳନ ଅବସରରେ ହସ୍ପିଟାଲ୍‌ର ଅଧ୍ୟକ୍ଷ ଫାଦର ବେନିଚାନ କେ ପିଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ହସ୍ପିଟାଲ୍‌ର ପାଥୋଲୋଜି ବିଭାଗର ବରିଷ୍ଠ ଡାକ୍ତର ଡ. ଜେ. କେ. ପଟ୍ଟନାୟକ କହିଥିଲେ ଯେ ଡ. ଭି. ଆର. ଖାନଲକୋର ହେଉଛନ୍ତି ପାଥୋଲୋଜି ବିଭାଗର ଜନକ । ବିଗତ ଶହେ ବର୍ଷ ପୂର୍ବେ ଡାକ୍ତର ଖାନଲକୋର ପାଥୋଲୋଜି ବିଭାଗକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିଥିଲେ । ତାଙ୍କ ଗବେଷଣା ନିଶ୍ଚିତ ରୂପେ ପାଥୋଲୋଜିକୁ ଚିକିତ୍ସା କ୍ଷେତ୍ରରେ ତାଙ୍କ ବୃହତ ଅବଦାନ ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଡାକ୍ତର ସଞ୍ଜୟ ତିର୍କି ଓ ମାଇକ୍ରୋବାଇଲୋଜି ବିଭାଗର ବରିଷ୍ଠ ଡାକ୍ତର ଡ. ପି. ଏସ. ଶତପଥୀ ପ୍ରମୁଖ ଯୋଗ ଦେଇ ସିଡବ୍ଲୁଏସ ହସ୍ପିଟାଲ୍‌ରେ କାର୍ଯ୍ୟରତ ସମସ୍ତ ଟେକ୍ନିସିଆନମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଉକ୍ତ ହସ୍ପିଟାଲର ଉତ୍ତରୋତ୍ତର କାମନା କରିଥିଲେ । ପାଥୋଲୋଜି ବିଭାଗର ମୁଖ୍ୟ ଡାକ୍ତର ଡ. ସଙ୍ଘମିତ୍ରା ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଦିବସରେ ପ୍ରାଥମିକ ପର୍ଯ୍ୟାୟରେ ପାଥୋଲୋଜି ଦିବସ ଉପଲକ୍ଷେ କେକ୍ କଟାଯାଇଥିଲା ଓ ପାଥୋଲୋଜି ବିଭାଗର କର୍ମଚାରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଡାକ୍ତର ଶତପଥୀ ସ୍ୱାଗତ ଭାଷଣ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ ଟେକ୍ନିସିଆନ ଭଗବାନ ଦାସ, ହେରମାନ ବାରୁ, ନବୀନ ମାହାତୋ, ସ୍ମିତାରାଣୀ ପାତ୍ର, ମାକ୍ସିମା ବାରା, ଗୀତ ବଡାଇକ ଜ୍ୟୋସ୍ନା ବିଶ୍ୱାଳ, ଅନୁରାଧା ଝା, ଲଳିତାଞ୍ଜଳି ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.