କୋଟଗଡ ବନାଞ୍ଚଳରେ ବାଘ ଆତଙ୍କ : ଲୋକେ ଭୟଭୀତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ବନାଞ୍ଚଳର ସାର୍ତ୍ତୁଲ ପଞ୍ଚାୟତରେ ଗତ କିଛିଦିନ ହେଲା ବାଘ ଆତଙ୍କ ଯୋଗୁଁ ଲୋକେ ଭୟରେ ଘରୁ ପଦାକୁ ବାହାରୁନଥିବା ଖବର ମିଳିଛି । ସୂଚନାଯୋଗ୍ୟ ଯେ, ଗତ ଶନିବାର ଦିନ ଉକ୍ତ ଗ୍ରାମର କିଛି ଗ୍ରାମବାସୀ ଛେଳି ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ହେଲେ ହଠାତ୍‌ ବାଘ ରଡି ଶୁଣିବାକୁ ପାଇଥିଲେ । ତା’ର କିଛି ସମୟ ପରେ ପାହାଡ଼ ଆରପଟେ ୪ /୫ ଗୋଟି ଛେଳି ମରି ପଡିଥିବା ସହ ଆଉ କେତୋଟି ଛେଳି ଖଣ୍ଡିଆ ଖାବରା ହୋଇଥିବା ଦେଖିବାକୁ ପାଇଥିଲେ । ଏହା ଦେଖି ଗ୍ରାମବାସୀ ବାଘ ଖାଇଥିବା ସନ୍ଦେହ କରୁଛନ୍ତି । ବାଘ ଏ ଭିତରେ ଦଶ ଗୋଟି ଛେଳି ଖାଇଲାଣି । ବାଘର ପାଦ ଚିହ୍ନ ମଧ୍ୟ ଗ୍ରାମବାସୀ ମାନେ ଦେଖିଥିବା ପ୍ରକାଶ କରିଛନ୍ତି । ଫଳରେ ବର୍ତ୍ତମାନ ଲୋକେ ସନ୍ଧ୍ୟା ନହେଉଣୁ ତାଟି, କବାଟ ବନ୍ଦ କରି ଭୟଭୀତ ଅବସ୍ଥାରେ ରହୁଛନ୍ତି । ଉକ୍ତ ଗ୍ରାମର ଉପେନ୍ଦ୍ର ପାଟମାଝିଙ୍କର ୬ ଗୋଟି ଛେଳି, ମହନ୍ତ ବଡ଼ମାଝିଙ୍କ ଗୋଟିଏ ଛେଳି, ଆର୍କିଷନ ପାଟମାଝିଙ୍କର ଗୋଟିଏ ଛେଳି ଓ ଜିନାନ୍ତ ପାଟମାଝିଙ୍କର ଦୁଇଟି ଛେଳି ଏପରି ୧୦ ଗୋଟି ଛେଳି ମାରି ଖାଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ମାନେ କୋଟଗଡ ବନବିଭାଗ ରେଞ୍ଜର ବାଳଗୋପାଳ ବେହେରାଙ୍କୁ ଜଣାଇଥିବା ସହ କ୍ଷତି ପୂରଣ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି । ତେବେ ଘଟଣାସ୍ଥଳରେ ବନବିଭାଗ ଅଧିକାରୀଙ୍କ ସମେତ ସଦଳ ବଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହାର ତଦନ୍ତ ପରେ ବାଘ ନା ଆଉ କୌଣସି ଜଙ୍ଗଲୀ ଜନ୍ତୁ ଛେଳି ମାନଙ୍କୁ ମାରିଛି, ତାହା ସ୍ପଷ୍ଟ ହେବ ବୋଲି ରେଞ୍ଜର ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.