centurian jitm

ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ), ଭୁବନେଶ୍ୱର ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁରୁବାର ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆର୍‌ବିଆଇ ମହାପ୍ରବନ୍ଧକ ଅନିତା ପଟ୍ଟନାୟକ; ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ; ଏସ୍‌ଏଲ୍‌ବିସି ଓଡ଼ିଶାର ଆବାହକ ତଥା ମହାପ୍ରବନ୍ଧକ ଗୌତମ ପାତ୍ର; ଏସବିଆଇ ଡିଜିଏମ୍‌ ସନ୍ଦୀପ କୁମାର ଚୌବେ; ୟୁବିଆଇ ଏଜିଏମ୍‌ ବଂଶୀଧର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହାପରେ ଜିଏମ୍ ଆର୍‌ବିଆଇ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ ମୁଖ୍ୟ ଭାଷଣ ଦେଇଥିଲେ । ନିଜ ଅଭିଭାଷଣରେ ସେ ଜଈଓଅ୯୦ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଆର୍ଥିକ ସାକ୍ଷରତା ପାଇଁ ଆରବିଆଇ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ସେ ଅଂଶଗ୍ରହଣକାରୀମାନଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ପ୍ରକାର ସାଇବର ଠକେଇ ରୋକିବା ପାଇଁ ଆର୍ଥିକ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନତାର ଆବଶ୍ୟକତା ଉପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ସମେତ ଅନ୍ୟ ଅତିଥିମାନେ ମଧ୍ୟ ଜୋର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକ ଙ୍କ ଭଳି ବିଭିନ୍ନ ବର୍ଗର ପ୍ରାୟ ୪୫୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କର ତିନୋଟି ବିଭାଗ ଯଥା ଏଫ୍ଆଇଡିଡି, ଡିଓଏସ୍ ଓ ଆଇବିଡିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ପାଇଁ ବିଦ୍ୟା ଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ଆୟୋଜିତ ଅଧିବେଶନରେ ସେମାନଙ୍କର ମତ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ୱାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଟେଂଡର ସମ୍ପର୍କରେ ଅବଗତ କରାଯାଇଥିଲା । ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଫୋନ୍ ମାଧ୍ୟମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ଥିକ ତଥ୍ୟ ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା । ଶେଷରେ ଆର୍‌ବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା । ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ପ୍ରାସଙ୍ଗିକ ଲିଫଲେଟ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ମଧ୍ୟ ବ୍ୟବହାର କରାଯାଇଥିଲା । କାର୍ଯ୍ୟକ୍ରମଟି ଇଣ୍ଟରଆକ୍ଟିଭ୍ ଥିଲା ଏବଂ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଏଲ୍‌ଡିଏମ୍‌, ଏଫ୍‌ଏଲ୍‌ସି, ସିଏଫ୍‌ଏଲ୍‌ ଏବଂ ଅନ୍ୟାନ୍ୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.