ଭାଙ୍ଗିଲା ଦାମେଇପାଲି ପୁରୁଣା ସ୍କୁଲ ଘର : ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ, ଘଟଣା ସ୍ଥଳ ପରିଦର୍ଶନ କଲେ ବିଡ଼ିଓ

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଦମେଇପାଲି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଶୁକ୍ରବାର ମଧ୍ୟାହ୍ନରେ ଆକସ୍ମିକ ଭାବେ ଭାଙ୍ଗି ଯିବାରୁ ଏକ ବଡ଼ ବିପଦ ଟଳି ଯାଇଛି । ଏହି ଅଘଟଣରୁ ଛାତ୍ରଛାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ମଧ୍ୟାହ୍ନରେ ଛାତ୍ରଛାତ୍ରୀମାନେ ନିଜ ଶ୍ରେଣୀରେ ପାଠ ପଢୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ଅବ୍ୟବହୃତ ଶ୍ରେଣୀ ଗୃହର ଛପର ଭାଙ୍ଗିଯାଇଥିଲା । ଯାହାର ଶବ୍ଦ ଶୁଣି ଶିକ୍ଷକ, ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିବା ବେଳେ ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟକୁ ଆସି ଯାଇଥିଲେ । ଏହି ଆକସ୍ମିକ ଘଟଣା ଯୋଗୁଁ ଏକ ବଡଧରଣର ବିପଦ ଟଳିଥିବା ବେଳେ କେହି ଆହତ ହୋଇନଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ୧୯୧୨ରେ ଆରମ୍ଭ ହୋଇଥିବା ଏହି ଶତାୟୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ବେଳେ ୭ ଜଣ ଶିକ୍ଷକ ଅଛନ୍ତି । ୧୬୮ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରିଥିବା ବେଳେ ବିଦ୍ୟାଳୟରେ କେବଳ ତିନୋଟି ପକ୍କା କୋଠରୀ ଥିବା ବେଳେ ପୁରୁଣା ଶ୍ରେଣୀ ଗୃହ ମରାମତି କରି ଦୁଇଟି ଶ୍ରେଣୀରେ ପାଠପଢା ହେଉଛି । କୋଠାର ଅନ୍ୟଏକ କୋଠରୀ ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା ଯାହାକି ଆକସ୍ମିକ ଭାବେ ଭାଙ୍ଗିଯାଇଛି । ଭଙ୍ଗା କୋଠରୀ ଆରପାଖରେ ରୋଷେଇ ଘର ଥିବା ବେଳେ ଛାତ୍ରଛାତ୍ରୀ ଭଙ୍ଗା କୋଠରୀ ଦେଇ ପ୍ରତିଦିନ ଖାଇବାକୁ ଯାଇଥାନ୍ତି ବୋଲି ଜଣାଯାଇଛି । ବିଦ୍ୟାଳୟର ସମସ୍ୟା ବିଷୟରେ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହେଉଛି । ଏନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ଭୋଇଙ୍କୁ ପଚାରିବାରୁ ଆକସ୍ମିକ ଭାବେ ଭାଙ୍ଗିଯାଇଥିବା କୋଠରିକୁ ବ୍ୟବହାର କରୁନଥିବା ପ୍ରକାଶ କରିଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ପଚାରିବାରୁ ପରିତ୍ୟକ୍ତ ଘରର ଛପର ଭାଙ୍ଗିଥିବା ବେଳେ କେହି ଆହତ ହୋଇନଥିବା କହିଛନ୍ତି । ଏନେଇ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ପରିଦର୍ଶନ କରିବା ସହ କୋଠରିର ମରାମତି ପାଇଁ ପଞ୍ଚାୟତ କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

error: Content is protected !!