ନୂଆପଡ଼ା, (ଅଜିତ ବେହେରା) : ପଶ୍ଚିମ ଓଡ଼ିଶାର ମୁଖ୍ୟ ଚାଷ ହେଉଛି ଧାନ ଚାଷ । ଧାନ ଚାଷ କରି ଚାଷୀ ନିଜେ ଚାଲିବା ସହ ଅନ୍ୟ ଲୋକମାନଙ୍କୁ ମଧ୍ୟ ଅନ୍ନ ଯୋଗାଇଥାନ୍ତି । ହେଲେ ଆଖି ପିଛୁଲାକେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଧାନ ଜଳି ପାଉଁଶ ହୋଇ ଯାଇଥିବାର ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଫରସରା ପଞ୍ଚାୟତ ସ୍ଥିତ ଫରସରା ଗ୍ରାମରେ । ସୂଚନା ଅନୁସାରେ ଫରସରା ଗ୍ରାମର କୈଳାସ ରାଉତ, ଗଣେଶ ରାଉତ, ମକ୍ରନ୍ ରାଉତ, ନିରନ୍ ରାଉତ, ମୁକେଶ ରାଉତ ଓ କେରାପଦର ଗ୍ରାମର ରବିନ୍ଦ୍ର କୁମାର ପ୍ରାମାଣିକ ଏବଂ ସିବାନନ୍ଦ୍ ପଣ୍ଡା ଚାଷ କରିଥିବା ଧାନକୁ ସଂଗ୍ରହ କରି ଗୋଟିଏ ସ୍ଥାନରେ ରଖିଥିବା ବେଳେ କୌଣସି କାରଣ ବଶତଃ ଧାନରେ ନିଆଁ ଲାଗି ଯାଇଥିଲା । ଏ ଘଟଣାକୁ ଦେଖି ସ୍ଥାନୀୟ ଲୋକେ ବୋଡ଼େନ ଦମକଳ ବାହିନୀଙ୍କୁ ଯୋଗାଯୋଗ କରିବା ପରେ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଦୀର୍ଘ ୩ ଘଣ୍ଟା ପର୍ଯ୍ୟନ୍ତ ଅବିରତ କଠିନ ପରିଶ୍ରମ କରି ନିଆଁକୁ ଆୟତ କରିବା ପରେ ମଧ୍ୟ ଚାଷୀଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଧାନ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଚାଷୀମାନେ ଧାନ ଚାଷ କରି ନିଜର ପରିବାରର ପ୍ରତିପୋଷଣ କରିବା ପାଇଁ ମାସ ମାସ ଧରି ଦିନ ରାତି କଠିନ ପରିଶ୍ରମ କରିଥାନ୍ତି, ହେଲେ ଅଳ୍ପ ସମୟରେ ଚାଷୀମାନଙ୍କ ମାସ ମାସର ପରିଶ୍ରମ ନିଆଁରେ ଜଳିପୋଡ଼ି ପାଉଁଶ ହୋଇଯାଇଛି । ତେଣୁ ଉକ୍ତ ଚାଷୀମାନେ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ସରକାରଙ୍କୁ ଦାବି କରିଛନ୍ତି ।
Next Post