oum

ନୂଆପଡା ସ୍କୁଲକୁ ବନ୍ଦ ନ କରିବା ପାଇଁ ବିଇଓଙ୍କୁ ଦାବୀପତ୍ର

jsm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଂଚାୟତର ପୁତୁଲାତଲାଇ ନିକଟରେ ଥିବା ନୂଆପଡା ପ୍ରାଥମିକ ବିଦ୍ୟାଳୟକୁ ସରକାର ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଗ୍ରାମବାସୀ ପ୍ରତିବାଦ କରିବା ସହ ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ବିଇଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ନୂଆପଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ,୨୦୦୩ ମସିହାରେ ନୂଆପଡା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା । ସ୍ଥାନୀୟ ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ନାମ ଲେଖାଇବା ସହ ଅଭିଭାବକମାନେ ପିଲାମାନଙ୍କ ପାଠପଢ଼ାକୁ ନେଇ ନିଶ୍ଚିନ୍ତ ରହିଥିଲେ । ଛାତ୍ରଛାତ୍ରୀମାନେ ମଧ୍ୟ ହସଖୁସିରେ ପାଠ ପଢୁଥିବା ବେଳେ କେଉଁ କାରଣରୁ ଏହି ବିଦ୍ୟାଳୟକୁ ସରକାର ବନ୍ଦ କଲେ ବୋଲି ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି । ନୂଆପଡା ଗାଁରେ ଥିବା ବିଦ୍ୟାଳୟକୁ ବନ୍ଦ ନ କରିବା ପାଇଁ ଗ୍ରାମର ଗୌରଶଙ୍କର ପୁଞ୍ଜି, ଦୟାନିଧି ଦୁଣ୍ଡି, କୃଷ୍ଣଚନ୍ଦ୍ର ବାଗ, ନିର୍ମଳ ବାଗ, ସୁରେଶ ବାଗ, ଶ୍ରାବଣ ବାଗ, ପୁରୁଷୋତ୍ତମ ବାଗ, ଧୀରମନ ପୁଞ୍ଜି, ଜିତେନ୍ଦ୍ର ପୁଞ୍ଜି ପ୍ରମୁଖଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ବୈକୁଣ୍ଠନାଥ ଶବରଙ୍କ ଅନୁପସ୍ଥିତିରେ ଏବିଇଓ ଜୟନ୍ତ ପ୍ରଧାନଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଯଦି ସରକାର କୌଣସି ପ୍ରକାର ପଦକ୍ଷେପ ନ ନେବେ ତେବେ ରାଜରାସ୍ତାରେ ଆନ୍ଦୋଲନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.