୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚମତ୍କାର ଆରମ୍ଭ :
ପ୍ରଥମ ୧୫ ଦିନରେ ହିଁ ସ୍ୱପ୍ନ ବାସ୍ତବ ହେବା ଆରମ୍ଭ କରିଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେତେକ ପରିବର୍ତ୍ତନକାରୀ ପଦକ୍ଷେପ ସହ ୨୦୨୫ର ଅୟମାରମ୍ଭ କରିଛନ୍ତି, ଯାହାକି ଏକ ପ୍ରଗତିଶୀଳ, ଆତ୍ମନିର୍ଭରଶୀଳ ଓ ଏକତ୍ରିତ ଭାରତ ପାଇଁ ତାଙ୍କର ଦୂରଦୃଷ୍ଟିକୁ ଜାହିର କରୁଛି । ଭିତ୍ତିଭୂମି ବିକାଶ ଓ ବୈଜ୍ଞାନିକ ଗବେଷଣା ଠାରୁ ଆରମ୍ଭ କରି ଯୁବ ସଶକ୍ତୀକରଣ ଓ ଭାରତର ସାଂସ୍କୃତିକ ବିବିଧତାକୁ ପାଳନ କରିବା ପର୍ଯ୍ୟନ୍ତ ତାଙ୍କର ନେତୃତ୍ୱ ଏକ ସଫଳ ବର୍ଷ ପାଇଁ ଭିତ୍ତି ପ୍ରସ୍ତୁତ କରିଛି । ବର୍ଷର ପ୍ରଥମ କ୍ୟାବିନେଟ ବୈଠକରେ ହିଁ କୃଷକମାନଙ୍କ କଲ୍ୟାଣ ଉପରେ ନିଜର ଫୋକସକୁ ଅବ୍ୟାହତ ରଖି ଡାଇ ଆମୋନିୟମ ଫସଫେଟ (ଡିଏପି) ଉପରେ ଏକକାଳୀନ ସ୍ୱତନ୍ତ୍ର ପ୍ୟାକେଜର ସଂପ୍ରସାରଣକୁ ଅନୁମୋଦନ କରାଯାଇଥିଲା । ଏହି ପଦକ୍ଷେପ ଦ୍ୱାରା କୃଷକମାନଙ୍କ ପଇଁ ସୁଲଭ ମୂଲ୍ୟରେ ସାର ଉପଲବ୍ଧତାକୁ ସୁନିଶ୍ଚିତ କରାଯାଇଛି । ଏହି ନିଷ୍ପତ୍ତି ଭାରତର କୃଷି ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ସେହିଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗାୟକ-ଅଭିନେତା ଦିଲଜିତ୍ ଦୋସାଞ୍ଜ ଏବଂ ଚେସ୍ ଗ୍ରାଣ୍ଡମାଷ୍ଟର କୋନେରୁ ହମ୍ପିଙ୍କ ଭଳି ସାଂସ୍କୃତିକ ବ୍ୟକ୍ତିତ୍ୱ ମାନଙ୍କୁ ଭେଟିଥିଲେ ଯାହାକି କଳା, କ୍ରୀଡ଼ା ଭଳି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଉପରେ ତାଙ୍କର ଫୋକସକୁ ଦର୍ଶାଇଥାଏ । ଜାନୁଆରୀ ୩ରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରେ ଇନ୍-ସିଟୁ ବସ୍ତି ଥଇଥାନ ପ୍ରକଳ୍ପ ଅଧୀନରେ ୧,୬୭୫ଟି ନବନିର୍ମିତ ଫ୍ଲାଟ ଆବଣ୍ଟନ କରିଥିଲେ, ଯାହା ହଜାର ହଜାର ପରିବାରର ଉନ୍ନତ ଜୀବନଧାରଣକୁ ସୁନିଶ୍ଚିତ କରିଥିଲା । ସୁରଜମଲ ବିହାରସ୍ଥିତ ଇଷ୍ଟର୍ଣ୍ଣ କ୍ୟାମ୍ପସ, ଦ୍ୱାରକାସ୍ଥିତ ପଶ୍ଚିମ କ୍ୟାମ୍ପସ ଏବଂ ନଜଫଗଡ଼ର ବୀର ସାବରକର
କଲେଜ ସମେତ ୬୦୦ କୋଟିରୁ ଅଧିକ ଟଙ୍କାର ତିନୋଟି ପରିବର୍ତ୍ତନକାରୀ ଶିକ୍ଷା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଶିକ୍ଷା ଭିତ୍ତିଭୂମି ବୃଦ୍ଧି ଏବଂ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଦେବା ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ । ଜାନୁଆରି ୪ରେ ଅନୁଷ୍ଠିତ ଗ୍ରାମୀଣ ଭାରତ ମହୋତ୍ସବରେ ଜିଏଲ-ପ୍ରମାଣିତ ଗ୍ରାମୀଣ ଉତ୍ପାଦ ଓ ଗ୍ରାମୀଣ ଅର୍ଥନୀତିକୁ ପ୍ରେତ୍ସାହନ ଦିଆଯାଇଥିଲା ଯାହାକି ଗ୍ରାମୀଣ ବିକାଶ ପାଇଁ ସରକାରଙ୍କ ପ୍ରାଥମିକତାକୁ ଦର୍ଶାଉଛି । ଏହି ପଦକ୍ଷେପଟି, ଗ୍ରାମୀଣ ଭାରତକୁ ସଶକ୍ତ କରିବା ଓ ତାହାକୁ ବିଶ୍ୱ ଅର୍ଥନୀତି ସହ ଯୋଡ଼ିବା ପାଇଁ ରଖାଯାଇଥିବା ଲକ୍ଷ୍ୟ ସହ ମେଳ ଖାଉଛି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲାଙ୍କ ସମେତ ବିଶ୍ୱସ୍ତରୀୟ ଟେକ୍ନୋଲୋଜୀ ଲିଡରମାନଙ୍କ ସହ ଆଲୋଚନା କରିଥିଲେ, ଯେଉଁଠାରେ ଭାରତରେ ଏଆଇ ଭିତ୍ତିଭୂମିରେ ୩ ବିଲିୟନ ଡଲାର ନିବେଶ କରିବାକୁ ଘୋଷଣା କରାଯାଇଥିଲା । ଦେଶରେ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ଏକ ଆତ୍ମନିର୍ଭରଶୀଳ ଟେକ୍ନୋଲୋଜୀ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ ଏହି ଆଲୋଚନା ହୋଇଥିଲା । ଭିତ୍ତିଭୂମି ବିକାଶ ଉପରେ ରହିଥିବା ଫୋକସକୁ ଜାରି ରଖି ଜାନୁଆରି ୫ରେ ନମୋ ଭାରତ ଟ୍ରେନ କରିଡରର ଉଦ୍ଘାଟନ କରାଯାଇଥିଲା ଯାହାକି ସାହିବାବାଦ ସହ ଅଶୋକନଗରକୁ ଯୋଡ଼ିଥାଏ । ଏହା ସହିତ ଓଡ଼ିଶା, ତେଲେଙ୍ଗାନା ଏବଂ ଜମ୍ମୁ ଓ କଶ୍ମୀରରେ ବିଭିନ୍ନ ରେଳ ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ପରିବହନ ନେଟୱର୍କର ଆଧୁନିକୀକରଣ କ୍ଷେତ୍ରରେ ଦେଉଥିବା ଦ୍ରୁତ ପ୍ରଗତିକୁ ଏହା ଦର୍ଶାଉଛି । ଜାନୁଆରି ୭ରେ ପ୍ରଧାନମନ୍ତ୍ରୀ ଆନ୍ଧ୍ରପ୍ରଦେଶରେ ଦୁଇଟି ଐତିହାସିକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଗୋଟିଏ ହେଉଛି ୧୮୭୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବଲକ୍ ଡ୍ରଗ୍ ପାର୍କ ଓ ଅନ୍ୟଟି ହେଉଛି ଗ୍ରୀନ ହାଇଡ୍ରୋଜେନ ହବ୍, ଯାହାକି ଦିନକୁ ୧୫୦୦ ଟନ ଗ୍ରୀନ ହାଇଡ୍ରୋଜେନ ଉତ୍ପାଦନ କରିପାରିବ । ଏହି ଦୁଇ ପ୍ରକଳ୍ପ ଅକ୍ଷୟ ଶକ୍ତି ଓ ଫାର୍ମାସୁଟିକାଲ ଉତ୍ପାଦନ କ୍ଷେତ୍ରରେ ଭାରତର ଅଗ୍ରଣୀ ଭୂମିକାକୁ ଦର୍ଶାଉଛି । ଜାନୁଆରି ୯ରେ ଜିନୋମ ଇଣ୍ଡିଆ ପ୍ରୋଜେକ୍ଟ ଉଦ୍ଘାଟନ ହୋଇଥିଲା, ଯାହାକି ଭାରତୀୟଙ୍କ ଜେନେଟିକ୍ ବିବିଧତାର ପରିମାପ କରିବ ଜେନେଟିକ ସମସ୍ୟାର ଉପଚାରକୁ ଆଗେଇ ନେବ । ସେହିଦିନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରବାସୀ ଭାରତୀୟ ଦିବସରେ ଉଦ୍ବୋଧନ ଦେଇଥିଲେ । ପ୍ରବାସୀ ଭାରତୀୟ ଦିବସ ପ୍ରବାସୀ ଭାରତୀୟଙ୍କ ସଫଳତା ଓ ବିଶ୍ୱ ପାଇଁ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେଇଥାଏ । ଜାନୁଆରି ୧୨ରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ଜାତୀୟ ଯୁବ ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ବିକଶିତ ଭାରତ ଯୁବ ନେତା ସମ୍ମିଳନୀ ୨୦୨୫ରେ ଯୋଗ ଦେଇଥିଲେ । ଏହି ପଦକ୍ଷେପ ଉଦ୍ଭାବନଶୀଳ ଯୁବ ପ୍ରତିଭାମାନଙ୍କୁ ଏକତ୍ରିତ କରିଥିଲା ଓ ଏକ ବିକଶିତ ଭାରତ ପାଇଁ ସେମାନେ ନିଜ ନିଜର ଦୃଷ୍ଟିକୋଣ ବାଣ୍ଟିଥିଲେ । ଏହା ମଧ୍ୟ ଯୁବପିଢିଙ୍କୁ ସଶକ୍ତ କରିବା କ୍ଷେତ୍ରରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଜାନୁଆରି ୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ଜମ୍ମୁ ଓ କଶ୍ମୀରରେ ନିର୍ମିତ ସୋନମର୍ଗ ଟନେଲର ଉଦ୍ଘାଟନ କରିଥିଲେ, ଯାହାକି କେବଳ ଯୋଗାଯୋଗ ଓ ପର୍ଯ୍ୟଟନକୁ ପ୍ରେତ୍ସାହିତ କରିବ ତାହା ନୁହେଁ, ବରଂ ଜାତୀୟ ସୁରକ୍ଷାକୁ ବି ସୁଦୃଢ କରିବ । ସେହିଦିନ ସଂଧ୍ୟାରେ ସେ ଭାରତର ସାଂସ୍କୃତିକ ଏକତା ଓ ଐତିହ୍ୟକୁ ଦର୍ଶାଉଥିବା ପର୍ବ ଲୋହରି, ପୋଙ୍ଗଲ ଓ ମକରସଂକ୍ରାନ୍ତି ପାଳନ କରିଥିଲେ । ଜାନୁଆରି ୧୫ରେ ପ୍ରଧାନମନ୍ତ୍ରୀ ଆଉ ଏକ ଐତିହାସିକ ମାଇଲଖୁଣ୍ଟରେ ପହଞ୍ଚିଥିଲେ ଯେତେବେଳେ ସେ ଭାରତୀୟ ନୌସେନା ପାଇଁ କେତେକ ଯୁଦ୍ଧ ଜାହାଜ ଓ ବୁ଼ଡ଼ାଜାହାଜର ଲୋକାର୍ପଣ କରିଥିଲେ । ଏସବୁ ଯୁଦ୍ଧ ଜାହାଜ ସାମିଲ ହେବା ପରେ ଭାରତୀୟ ମହାସାଗର ଅଂଚଳରେ ଭାରତୀୟ ନୌସେନାର ଶକ୍ତିବୃଦ୍ଧି ହେବ । ଏହା ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଭାରତ ଲାଗି ସରକାରଙ୍କ ଅଙ୍ଗୀକାରକୁ ଦର୍ଶାଉଛି । ଜାନୁଆରି ୧୬ରେ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ପାଇଁ ଥିବା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଛୁଇଁଲା ଯେତେବେଳେ ଇସ୍ରୋ ଦ୍ୱାରା ସ୍ପେସ ଡକିଂ ସାଟେଲାଇଟର ପ୍ରଦର୍ଶନ କରାଗଲା । ଏହି ସଫଳତା ଆଗାମୀ ଦିନରେ ଭାରତର ମହାକାଶ କାର୍ଯ୍ୟକ୍ରମକୁ ଏକ ନୂଆ ଉଚ୍ଚତାକୁ ନେଇଯିବ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ପ୍ରଥମ ୧୫ ଦିନରେ ହିଁ ୨୦୨୫ ଲାଗି ଏକ ପରିବର୍ତନମୂଳକ ଶୁଭାରମ୍ଭ କରାଯାଇଛି । ବୈଜ୍ଞାନିକ ସଫଳତା ଏବଂ ଭିତ୍ତିଭୂମି ପ୍ରକଳ୍ପଠାରୁ ଆରମ୍ଭ କରି ଯୁବ ସଶକ୍ତୀକରଣ ଏବଂ ସାଂସ୍କୃତିକ ଉତ୍ସବ ଆଦି କାର୍ଯ୍ୟ ଏକ ବିକଶିତ ଭାରତ ଗଠନ ଲାଗି ତାଙ୍କର ପରିକଳ୍ପନାକୁ ପ୍ରତିଫଳିତ କରେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆମେ ସମସ୍ତେ ମିଶି ଏକ ବିକଶିତ ଭାରତ ଗଠନ କରୁଛୁ, ଯେଉଁଠାରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ପ୍ରତ୍ୟେକ ନାଗରିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।