
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସମ୍ଭ୍ରାନ୍ତ ନୃତ୍ୟସଂଗୀତ ଅନୁଷ୍ଠାନ ‘ମ୍ୟୁଜିକ ସର୍କଲ’ର ଅଷ୍ଟ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ତଥା ବସନ୍ତ ଉତ୍ସବ ଚଳିତ ମାର୍ଚ୍ଚ ମାସ ୨୭ ରୁ ୩୧ ତାରିଖ ଯାଏ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଏହି ବସନ୍ତ ଉତ୍ସବ ମାର୍ଚ୍ଚ ୨୭ ତାରିଖ ଦିନ ସଂଧ୍ୟା ୬.୩୦ ମି.ରେ ଅନୁଷ୍ଠାନ ଦ୍ଵାରା ପରିଚାଳିତ ସ୍ପ୍ରିଂ ଭେଲି ଇଂରାଜୀ ଏବଂ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଷଡ଼ବିଂଶତମ ବାର୍ଷିକ ଉତ୍ସବ ପାଳନ କରାଯିବ, ୨୮ ତାରିଖ ଦିନ ମ୍ୟୂଜିକ ସର୍କଲ ଦ୍ୱାରା ପରିଚାଳିତ ନୃତ୍ୟ ସଂଗୀତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି । ମାର୍ଚ୍ଚ ୨୯, ୩୦ ଏବଂ ୩୧ ତିନି ଦିନ ଧରି ନୃତ୍ୟ ସଂଗୀତ ଆସର ସହ ବସନ୍ତ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଡ. ସମର ମୁଦାଲି, ଡ. ନଗେନ କୁମାର ଦାସ, ବିବେକାନନ୍ଦ ପଣ୍ଡା, ଡ. କିଶୋରୀ ଦାଶ, ଲକ୍ଷ୍ମଣ ନାଥ ଦାସ, ସନ୍ତୋଷ ମଲ୍ଲିକ, ସ୍ନେହଲତା ନାୟକ, ନିଖିଳେଶ୍ୱର ଦାଶ, ସୁଶାନ୍ତ ନାୟକ ପ୍ରମୁଖ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସହ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପାଞ୍ଚ ଦିନ ବ୍ୟାପୀ ପାଳନ ହେବାକୁ ଥିବା ଏହି ସମସ୍ତ କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ୱାରା ପ୍ରାୟୋଜିତ ଏବଂ ଇଷ୍ଟର୍ଣ୍ଣ ଜୋନ୍ କଲ୍ଚରାଲ କାଉନସିଲ, ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗ, ରାଉରକେଲା ଇସ୍ପାତ କାରଖାନା ପ୍ରଭୃତିଙ୍କ ସହଯୋଗରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ବିଭିନ୍ନ ଦିବସରେ ରାଉରକେଲା ତଥା ଓଡ଼ିଶାର ବିଶିଷ୍ଟ ସଂଗୀତ ଓ ନୃତ୍ୟ ଶିଳ୍ପୀମାନେ ଯୋଗ ଦେବାକୁ ଥିବା ବେଳେ ମାର୍ଚ୍ଚ ୩୦ ତାରିଖ ଦିନ ବାସନ୍ତିକା ସାହିତ୍ୟ ସମାରୋହ ଏବଂ ବହୁ ଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ଏହି ଅବସରରେ ପ୍ରଫେସର ଜଗନ୍ନାଥ କୁଅଁରଙ୍କୁ ବସନ୍ତ ସମ୍ମାନ, ଇଂ.ଲଲାଟେନ୍ଦୁ ରଥଙ୍କୁ ମୁକ୍ତିକାନ୍ତ ନାଟ୍ୟ ସମ୍ମାନ, ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କୁ ପ୍ରଭାତ କୁମାର ଚାନ୍ଦ ସ୍ତୁତି ସମ୍ମାନ ଏବଂ ଡ. ଗୌରୀ ଦାସ ପ୍ରଧାନଙ୍କୁ ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ଅନୁଷ୍ଠାନର ମୁଖପତ୍ର ‘ବାସନ୍ତିକା’ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ ରାଉରକେଲାର ବୁଦ୍ଧିଜୀବୀ ଓ ସଂସ୍କୃତି ପ୍ରେମୀ ଜନସାଧାରଣଙ୍କୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନିନ୍ଦିତା ମାଇତିଙ୍କ ସହ ସମସ୍ତ ଶିକ୍ଷୟିତ୍ରୀ ତଥା ଅନୁଷ୍ଠାନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଲକ୍ଷ୍ମଣ ନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।