ଖୁଣ୍ଟିଗୋରାରେ ବରୁଳ ଯାତ୍ରା ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ଭିତରେ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାରେ ବରୁଳ ଯାତ୍ରା ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । କୁଦୁର୍କା ପ୍ରଗଣାର ମୁଖ୍ୟ ପର୍ବ ଭାବରେ କାହିଁ କେତେ ପୁରୁଷରୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣିମା ଦିନ ଏହି ଯାତ୍ରା ପ୍ରବଳ ଜନ ସମାଗମରେ ପାଳିତ ହୋଇ ଆସୁଅଛି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ହୋଇ ଠାକୁରଙ୍କ ପୂଜାକରି ଠାକୁରଙ୍କ ଛତ୍ରଛାୟା ତଲେ ନିଜକୁ ସୁରକ୍ଷିତ ମଣନ୍ତି ଅଞ୍ଚଳବାସୀ । ଏହି ପର୍ବ କୃଷି ସହିତ ସମ୍ପୃକ୍ତ ଥିବାରୁ ଅଞ୍ଚଳବାସୀ ଯେତେବେଳ ଏହି ସମୟରେ ଧାନ ଅମଳ କରିଥାନ୍ତି ସେମାନେ ତାଙ୍କର ପ୍ରଥମ ବୀଜକୁ ଠାକୁରଙ୍କ ନିକଟରେ ଅର୍ପଣ କରିଥାନ୍ତି ତେଣୁ ଏହି ପର୍ବକୁ ଅରୁଆ ପକା ପର୍ବ ମଧ୍ୟ କହିଥାନ୍ତି । ଯାତ୍ରା ପୂର୍ବଦିନ ଠାକୁର ପୂଜକ ସନ୍ତୋଷ ଝାଙ୍କର ହଳଦୀ ମିଶ୍ରିତ ଅରୁଆ ଚାଉଳରେ ଠାକୁରଙ୍କୁ ବରଣ କରିଥାନ୍ତି ଓ ରାତି ନିଷ୍ଠାର ରହିଥାନ୍ତି । ପୂର୍ଣ୍ଣିମା ଦିନ ବରୁଆଙ୍କୁ ଆଜ୍ଞାମାଳ ଦେବାପରେ ଠାକୁର ଲାଗିଥାନ୍ତି । ଠାକୁର ଲାଗିବା ପରେ ଘଣ୍ଟ, ଢୋଲ, ନିସାନ, ଲୁହା, ଛତିଛତ୍ର ଆଦି ଧରି ବିଭିନ୍ନ ଘରଘର ବୁଲି ଠାକୁର ଗୁଡି ବା ଖଳା ନିକଟକୁ ଯାଇଥାନ୍ତି । ବିଭିନ୍ନ ଗ୍ରାମରୁ ବରୁଆମାନେ ଆସି ପହଞ୍ଚିବା ପରେ ଚେରେମୁଣ୍ତା ଅଞ୍ଚଳର ବନ୍ଧରୁ ଜଳ ଆଣି ଠାକୁର ଶୁଭକାର୍ୟ୍ୟ ଆରମ୍ଭ କରିଥାନ୍ତି । ପ୍ରଥମେ ବରୁଳ ଦେବତାଙ୍କୁ ମୁଖ୍ୟ ଦେବତା ଭାବରେ ପୂଜା କଲାପରେ ଭୀମ, ଶୁଳିଆ, ଦଶମତି, ସିକେରପାଟ, ପୋଡାପାଟ, ପେଞ୍ଜିପାଟ, ପାଟଖଣ୍ତା, ସୁନାଦେଇ, ଧନଦେଇ, ମନଦେଇ, ଚିର୍ଣ୍ଣିଦେଇ, ଡିମୁଲ, ଭୁଆସେନ ଆଦି ଦେବା ଦେବୀଙ୍କୁ ପୂଜା କରାଯାଇଥାଏ । ଠାକୁରଙ୍କୁ ପୂଜାପାଇଁ ଖଇଲିଆ, ମୁଆଁ, ନଡିଆ, ଅରୁଆ ଚାଉଳ ଆଦି ଭୋଗ ଲଗାଯାଏ । ଭକ୍ତମାନେ ନିଜର ମାନସୀକ ପୂରଣ ହେଲେ ଠାକୁରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭୋଗ ରୂପେ ବୋଦା, କୁକୁଡା, ପୋଢ ଆଦି ବଳି ଦେଇଥାନ୍ତି । ଜୟ ଭୋଇ, ଦିର୍ବ ଭୋଇ, ଦୁଃଶାସନ ଭୋଇ, ଶ୍ରୀପତି କବାଟ ଓ ଭୁତୁଲୁ କାସଲେ ଆଦି ବରୁଆଙ୍କ ଦେହରେ ବିଭିନ୍ନ ଦେବାଦେବୀ ସବାର ହୋଇଥାନ୍ତି । ଏହି ଯାତ୍ରା ସମାପ୍ତ ହେବାର ସାତ ଦିନପରେ ବରୁଳ ଦେବତାଙ୍କ ଭୁଆସେନଙ୍କୁ ପାରା ଏବଂ ଧଳା କିମ୍ବା କଳା ରଙ୍ଗର ପେଠୀ (ମାଈଛେଳି) ବଳି ଦେବାର ପ୍ରଥା ଚଳି ଆସୁଛି । ସେହିପରି ମସିଣାଗୋରା ବରୁଳ ପୀଠରେ ମଧ୍ୟ ଉକ୍ତ ଯାତ୍ରା ପାଳିତ ହୋଇଯାଇଛି ପୂଜକ ଅଇବନ ଭୋଇ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଦଇତାରି ଷାଣ୍ଢ, ହେମନ୍ତ କାଲସେ ଓ ଯଦୁ ଭୋଇ ବରୁଆ ଥିଲେ ।

Leave A Reply

Your email address will not be published.