ବଲାଙ୍ଗିର, (କେପିଏନ୍ଏସ୍) : ଗତକାଲି ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ମୁଖ୍ୟଅତିଥି ଭାବେ କନକବର୍ଦ୍ଧନ ସିଂଦେଓ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ, ସମ୍ମାନିତ ଅତିଥି ଭାବେ ଡ଼ ମୁକେଶ ମହାଲିଙ୍ଗ, ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦିୟ ବ୍ୟାପାର ଓ ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଏବଂ ସଙ୍ଗୀତା କୁମାରୀ ସିଂଦେଓ, ବଲାଙ୍ଗିର ଲୋକସଭା ସଦସ୍ୟ ଯୋଗ ଦେଇଥିଲେ । ପରିଚାଳନା କମିଟିର ସଭାପତି ଦୟାନିଧି ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଅଧିବେଶନରେ ମୁଖ୍ୟଅତିଥି ଦୀପ ପ୍ରଜ୍ୱଳନ ପରେ ଶିଶୁ ମନ୍ଦିରର ନୂତନ ଭବନ ଉଦଘାଟନ କରିଥିଲେ । ଶିଶୁ ମନ୍ଦିର ତରଫରୁ ସମସ୍ତ ଗୁରୁଜୀ ଗୁରୁମା ଅତିଥିଗଣଙ୍କୁ ଅଙ୍ଗବସ୍ତ୍ର ଓ ସମ୍ବର୍ଦ୍ଧନା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟର ଅଧିବେଶନରେ ମୁଖ୍ୟଅତିଥି ଭାବେ ରଜନୀକାନ୍ତ ସାହୁ, ଆଗଲପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ, ସମ୍ମାନିତ ଅତିଥି ଭାବେ ବିଶ୍ଵ ହିନ୍ଦୁ ପରିଷଦ, ଓଡ଼ିଶା ପଶ୍ଚିମ ପ୍ରାନ୍ତର ସହ ସଂପାଦକ ତଥା ବ୍ଲକର ଆଦର୍ଶ ଶିକ୍ଷକ ଯୋଗୀନ୍ଦ୍ର ଦାଶ, ମୁଖ୍ୟବକ୍ତା ଭାବେ ଲୋଇସିଂହା ସଂକୁଳ ସଂଯୋଜକ ଶିବପ୍ରସାଦ ବାରିକ ଯୋଗଦାନ କରିଥିଲେ । ବିବରଣୀ ପଠନ ସହ ଅତିଥି ପ୍ରଦାନ କରିଥିଲେ ପ୍ରଧାନ ଆଚାର୍ଯ୍ୟ ପ୍ରେମେନ୍ଦ୍ର କୁମାର ସାହୁ । ମୁଖ୍ୟ ଅତିଥି ଚରିତ୍ର ଗଠନ ସହ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ସଭାପରେ କୃଚୀ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ପରେ ଛାତ୍ରଛାତ୍ରୀଙ୍କଦ୍ଵାରା ଭାରତୀୟ ସଂସ୍କୃତି ଆଧାରିତ ବିଷୟ ବସ୍ତୁକୁ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଶେଷରେ ପରିଚାଳନା କମିଟିର ସଂପାଦକ ନରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୁରୁଜୀ ସତ୍ୟବାନ ପସାୟତ, ତରଣୀସେନ ବିଶ୍ଵାଲ, କିଶୋର ତାଣ୍ଡି, ରାଘବ ନନ୍ଦ, ରାମଜୀ ପାତ୍ର, ରଘୁନାଥ ଡାଙ୍ଗ, ଗୁରୁମା ଦମୟନ୍ତୀ ପାଣ୍ଡିଆ, କୁମୁଦିନୀ ଦାଶ, ନନ୍ଦିନୀ ସାହୁ, ଭାରତୀ ସାହୁ, ବିଜୟା ପଧାନ, ତିଳୋତ୍ତମା ପଧାନ, ସଜନା ସାହୁଙ୍କ ସହ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Prev Post