ବାଣାୟତ ଓଡ଼ିଆ ସମାଜର ୪୭ତମ ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହର ଉଦିତନଗର ନିକଟରେ ଅବସ୍ଥିତ ମା’ ସିଂହାସିନୀ ମନ୍ଦିର ପ୍ରାଙ୍ଗଣରେ ରାଉରକେଲା ତାଲୁକା ବାଣାୟତ ଓଡ଼ିଆ ସମାଜର ୪୬ତମ ବାର୍ଷିକ ସମ୍ମିଳନୀ ସମାଜର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଯାଇଛି । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମୁଖ୍ୟ ଅତିଥି ଓ ଉଦ୍‌ଘାଟକ ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ ଉପସ୍ଥିତ ରହି ସମାଜର କିଛି ଅନୁରୋଧ ମୂଳକ ପ୍ରସ୍ତାବକୁ ଅତିଶୀଘ୍ର ପୂରଣ କରିବା ପାଇଁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ପ୍ରାରମ୍ଭରେ ବରିଷ୍ଠ ଆଇନଜୀବୀ ତଥା ଉପଦେଷ୍ଟା ଦିନବନ୍ଧୁ ଭୋଳ କୂଳଧ୍ୱଜା ଉତ୍ତୋଳନ କରିଥିଲେ । ଏହି ଅବସରରେ ମା’ ନାରାୟଣୀଙ୍କ ପୂଜା, ପୂର୍ବରୁ ଆୟୋଜିତ କୁନି ପିଲାଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ମହିଳା ମାନଙ୍କ ପାଇଁ ଝୋଟି ପ୍ରତିଯୋଗିତା, ନାଚ ଗୀତ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇଥିବା ପ୍ରତିଭାବାନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଭା ସମ୍ମାନରେ ପୁରସ୍କୃତ କରାଯାଇଥିଲା । କୋଷାଧ୍ୟକ୍ଷ ଶରତ କୁମାର ଜେନା ଗତ ଆର୍ଥିକ ବର୍ଷର ବିବରଣୀ ପାଠ କରିଥିଲେ ଓ ସାଧାରଣ ସମ୍ପାଦକ ଅଜୟ କୁମାର ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଏହା ସହିତ ସମାଜର ଅନ୍ୟାନ୍ୟ କିଛି ବିଷୟ ଉପରେ ଚର୍ଚ୍ଚା ହୋଇଥିଲା ଓ ଆଗାମୀ ନୂଆ ପିଢି ଯୁବକମାନଙ୍କ କିଛି ପ୍ରଶ୍ନର ଉତ୍ତର ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ, ଦୀର୍ଘ ୬୦ରୁ ୭୦ ବର୍ଷ ହେଲା ରାଉରକେଲା ମହାନଗରରେ ବାଣାୟତ ସମାଜର ବହୁତ ଲୋକ ବସବାସ କରି ଆସୁଛନ୍ତି ଏବେ ମଧ୍ୟ ପ୍ରାୟ ୭ଶହରୁ ଅଧିକ ପରିବାର ରହୁଛନ୍ତି । ସଭା ଶେଷରେ ସହ ସମ୍ପାଦକ ଅଜିତ କୁମାର ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ । ସମାଜ ର ଯୁବ ସଭାପତି ସଞ୍ଜୟ କୁମାର ନାୟକ ଅନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.