ବଲାଙ୍ଗିର ମଣ୍ଟେସୋରୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ରେନ୍‌ବୋ ପେଲେସ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ବଲାଙ୍ଗିର ଉପ-ଜିଲ୍ଲାପାଳ ଆଲୋକ କୁମାର ପଟେଲ, ପୌରାଧ୍ୟକ୍ଷା ଲିକା ସାହୁ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଚେୟାରମେନ ଡ. ପ୍ରତାପ କୁମାର ଦାଶ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ, ଶିକ୍ଷା ଗ୍ରହଣ କରିବା ସହିତ ନୃତ୍ୟ, ଅଙ୍କନ, ସୃଜନଶୀଳତାରେ ସଂସ୍କୃତି ସମ୍ପନ୍ନ ହେବାକୁ ଉଦ୍‌ବୋଧନ ଦେଇଥିଲେ । ମଣ୍ଟେସୋରୀ ପ୍ରାଇମେରୀ ସ୍କୁଲର ମୁଖ୍ୟ ଅଭିସ୍ମିତା ଦାଶ ପ୍ରାରମ୍ଭିକ ଭାଷଣ ଦେଇଥିବା ବେଳେ ସ୍କୁଲର ଚେୟାରମେନ ବିରେନ୍ଦ୍ର ନାରାୟଣ ଉଦ୍‌ଗାତା ବିବରଣୀ ପାଠ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ଅଟଳ ଦାଶ, ମେଡିକାଲରେ ସଫଳତା ପାଇଥିବା ମଣ୍ଟେସୋରୀର ପୁରାତନ ଛାତ୍ରଛାତ୍ରୀ ଅନୁଷ୍ମା ନାୟକ, ଅଙ୍କିତା ପଣ୍ଡା ଏବଂ ସଫ୍ଟୱେର ଇଞ୍ଜିନିୟର ସୟଦ ହସନାନ ଅଲ୍ଲୀ ପ୍ରମୁଖ ୪ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ପ୍ରତ୍ୟେକ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀ ଓ ବର୍ଷର ସର୍ବାଧିକ ଉପସ୍ଥାନ ପାଇଁ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ବାର୍ଷିକ ଉତ୍ସବ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଡ ଫେଷ୍ଟିଭାଲ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ଶେଖ ନାଜିବୁଲ ରାଜା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଙ୍କିତା ମେହେର, ସୁପ୍ରଭାରାଣୀ ଭୋଇ ଓ ମେହେକ କ୍ୟୁରେସିଙ୍କ ଗୃପ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ସ୍ନିତି ଉଦ୍‌ଗାତା ତୃତୀୟ ପୁରସ୍କାର ହାସଲ କରିଥିଲେ । ବାର୍ଷିକ ଉତ୍ସବ ପାଇଁ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତ, ସମାଜସେବୀ ଆକୁଳ ବେହେରାଙ୍କ ସମେତେ ସହରର ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ସ୍କୁଲର ଟ୍ରଷ୍ଟି ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.