ଜିଙ୍ଗଲ ବେଲ ଇଂଲିଶ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଜିଙ୍ଗଲ ବେଲ ଇଂଲିଶ ସ୍କୁଲର ୨୦ତମ ବାର୍ଷିକ ଉତ୍ସବ ଶନିବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇସ୍ପାତ ସ୍ୱୟଂ ଶାସିତ କଲେଜର ପ୍ରାକ୍ତନ ରିଡର ଡ଼. ଅଶ୍ୱିନୀ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟ ଅବସରରେ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିବା ପୁଷ୍ପିତ କଳିକା ମାନଙ୍କୁ ସାଧୁବାଦ ଜଣାଇଥିଲେ । ପୂର୍ବକାଳରେ ଉପନିଷଦ, ଗୁରୁକୁଳ ପରମ୍ପରା ପିଲାଙ୍କୁ ପ୍ରତିଷ୍ଠିତ କରିପାରିଥିଲା ବୋଲି କହିଥିଲେ । ସୁନାଗରିକ ହେବା ପାଇଁ ପ୍ରତ୍ୟେକ ପିଲାକୁ ସୁସଙ୍ଗ ଓ ସାଧୁସଂଗତର ଆବଶ୍ୟକତା ରହିଛି । ଏଥିସହ ପିଲାମାନେ ନିଷ୍ଠା, ସଂଯମତା ସହନଶୀଳତା ଓ ସଚ୍ଚୋଟତା ବଜାଇ ରଖିଲେ ଜୀବନରେ ସଫଳକାମୀ ହୋଇପାରିବେ ବୋଲି ଡ଼. ରାୟ କହିଥିଲେ । ଅବସରପ୍ରାପ୍ତ ସ୍କୁଲ ଡିଆଇ ଶ୍ରୀମତୀ ରଶ୍ମିବାଳା ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ କ୍ଷ ବିଭିନ୍ନ ଉଦାହରଣ ଛଳରେ ସେ କହିଲେ ଯେ, ଦେଶର ଅଗ୍ରଗତି ପଛରେ ମା’ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିଶୁ ମାନଙ୍କ ଅଗ୍ରଗତି ପାଇଁ ଯତ୍ନ ଓ ପ୍ରେରଣା ଦରକାର । ମା’ମାନେ ହିଁ ସେମାନଙ୍କର ଉପଯୁକ୍ତ ଯତ୍ନ ନେଇ ସଫଳ ବ୍ୟକ୍ତିତ୍ୱ ଭାବେ ଗଢି ତୋଳିବାକୁ ଆହ୍ୱାନ କରିଥିଲେ । ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆଜିର ଶିଶୁ ଆଗାମୀ ଦିନର ଭାବିଷ୍ୟତ । ସେମାନଙ୍କ ସ୍ୱପ୍ନ, ଚିନ୍ତନ ଓ ଉଦ୍ୟମକୁ ସାକାର ରୂପ ଦେବାରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ପିଲାମାନେ ନିଷ୍ଠାବାନ, ଆତ୍ମବିଶ୍ଵାସୀ ଓ ସମୟାନୁବର୍ତ୍ତିତ ହେଲେ, ଆହ୍ୱାନର ମୁକାବିଲା କରି ଜୀବନରେ ସଫଳ ହେବେ ବୋଲି କହିଥିଲେ । ପ୍ରାରମ୍ଭରେରେ ସ୍କୁଲର ପ୍ରିନସିପାଲ ଶ୍ରୀମତୀ ଶେଫାଳି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ସ୍କୁଲର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସ୍କୁଲ ପରିଚାଳନା କମିଟିର ସେକ୍ରେଟାରୀ ଆଡ଼ଭୋକେଟ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସୁଶ୍ରୀ ଶିଭାଙ୍ଗି ପଣ୍ଡା ଓ କମଳ ଲୋଚନ ଗାରୁ ସଂଯୋଜନା କରିଥିଲେ । ଉଦ୍‌ଘାଟନୀ ଉତ୍ସବ ପରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହାପରେ ପିଲାମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଦେବେନ୍ଦ୍ର ମହାରଣା, ଶାଳିନୀ ପଣ୍ଡା ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.