ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସିରୋଲ୍ କ୍ଲଷ୍ଟର୍ ଅଧିନସ୍ଥ ସିରୋଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଭବ୍ୟ ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ସିରୋଲ୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୋତିରାମ ମାଝୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ସର୍ବ ପ୍ରଥମେ ମାଁ ବାଗ୍‌ଦେବୀ ସରସ୍ୱତୀଙ୍କ ପାଦ ପଦ୍ମରେ ପୂଜାର୍ଚ୍ଚନା ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରି ଏହି ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ପରେ ପରେ ମଞ୍ଚରେ ଅବସ୍ଥାନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଥମେ ଦ୍ଵିତୀୟ ଶ୍ରେଣୀର କୁନି କୁନି ଛାତ୍ରୀମାନଙ୍କ ଦ୍ୱାରା ଏକ ସୁନ୍ଦର ନୃତ୍ୟ ପରିବେଷଣ ହୋଇଥିଲା । ଏଥିରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ସିରୋଲ୍ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ନାଗ, ବୈଷୟିକ ଶିକ୍ଷା ରାଜ୍ୟ ସଂଯୋଜକ ଲକ୍ଷ୍ମୀକାନ୍ତ ବଳ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି କୈଳାଶ ଚନ୍ଦ୍ର ଭୋଇ, ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ସଭାପତି ରୂପଧର ବଗର୍ତି, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ୟାମ ସୁନ୍ଦର ପ୍ରଧାନ ପ୍ରମୁଖ ମଂଚାସୀନ ଥିଲେ । ଏହି ସଭାରେ ମଂଚାସୀନ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ପ୍ରେରଣା ଦାୟୀ ବାର୍ତ୍ତା ଦେଇଥିଲେ । ଶିକ୍ଷାର ଗୁରୁତ୍ୱ ଓ ଶିଶୁ ମାନଙ୍କୁ ନିୟମିତ ବିଦ୍ୟାଳୟଭିମୁଖୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ପରେ ବରିଷ୍ଠ ଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରାଯାଇଥିଲା । ଏଥି ମଧ୍ୟରେ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନଙ୍କର ସୁନ୍ଦର ସୁନ୍ଦର ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ଗୁଡ଼ିକ ପରିବେଷଣ ହୋଇଥିଲା ଯାହା ବହୁତ ମନଛୁଆଁ ମଧ୍ୟ ହୋଇଥିଲା । ତତସଙ୍ଗେ ସଙ୍ଗେ ମଞ୍ଚାସୀନ ଅତିଥିମାନଙ୍କ ଦ୍ୱାରା କୃତୀ ଛାତ୍ର/ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ତାଙ୍କର କୃତିତ୍ୱର ପୁରସ୍କାର ଗୁଡ଼ିକ ପ୍ରଦାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ ବହୁ ପରିମାଣରେ ମାତା/ପିତା, ଅଭିଭାବକ, ଛାତ୍ର/ଛାତ୍ରୀ ଓ ଜନସାଧାରଣ ଯୋଗଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ସକ୍ରିୟ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସରସ୍ୱତୀ ହୋତା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରି ସଭାପତି ମହୋଦୟଙ୍କ ଆଦେଶ କ୍ରମେ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.