ହୀରାକୁଦର ୪୦ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ବିପଦସଂକେତ ୬୩୦ ଫୁଟର ନିକଟବର୍ତ୍ତୀ ​‌ହୋଇଛି । ସୂଚନା ଅନୁସାରେ ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୮୭ ଫୁଟ ରହିଛି । ଗତକାଲି (ମଙ୍ଗଳବାର) ଦୁଇଟି ପର୍ଯ୍ୟାୟରେ ଆଉ ଅତିରିକ୍ତ ୧୪ଟି ଗେଟ୍‌ ଖୋଲାଯାଇ ମୋଟ୍‌ ୪୦ଟି ଗେଟରେ ମହାନଦୀକୁ ସେକେଣ୍ଡ ପିଛା ୬ଲକ୍ଷ ୭୧ହଜାର ୮୯୭ ଘନଫୁଟ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ଜଣାପଡିଛି । ସେହିପରି ଡ୍ୟାମକୁ ପ୍ରବେଶ କରୁଛି ୫ଲକ୍ଷ ୯୮ହଜାର ୮୪୯ ଘନଫୁଟ ବନ୍ୟାଜଳ । ଗତକାଲି କଟକ ମୁଣ୍ଡଳି ଦେଇ ୧୨,୦୧,୪୨୬ ଘନଫୁଟ ଜଳ ସେକେଣ୍ଡ ପିଛା ପ୍ରବାହିତ ହେଉଥିଲା । ଗତ ଦୁଇ ଦିନ ହେଲା ମହାନଦୀ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ପରେ ହୀରାକୁଦର ଖୋଲାଥିବା ୩୪ ଗେଟରୁ ୮ଟି ଗେଟ୍‌ ବନ୍ଦ କରି ଦିଆଯାଉଥିଲା । ମାତ୍ର ଏହି ସମୟରେ ହୀରାକୁଦକୁ ବନ୍ୟା ଜଳ ପ୍ରବେଶ ସେକେଣ୍ଡ ପିଛା ପ୍ରାୟ ୭ଲକ୍ଷ ଘନଫୁଟରୁ ୧୦ଲକ୍ଷକୁ ବୃଦ୍ଧି ପାଇଥିଲା । ତେଣୁ ଜଳସ୍ତର ବିପଦସଂକେତ ଛୁଇଁବା ପୂର୍ବରୁ ପରିସ୍ଥିତିକୁ ଦେଖି ଦୁଇଟି ପର୍ଯ୍ୟାୟରେ ଅତିରିକ୍ତ ୧୪ଟି ଗେଟ୍‌ ଖୋଲାଯାଇ ରାତି ୯ଟା ସୁଦ୍ଧା ୪୦ଟି ଗେଟ୍‌ ଖୋଲି ବନ୍ୟା ଜଳ ନିଷ୍କାସନ ଆରମ୍ଭ କରାଯାଇଥିଲା । ତେବେ ଏଥିପାଇଁ ମହାନଦୀ ତଳମୁଣ୍ଡରେ ବନ୍ୟା ପରିସ୍ଥିତିର ଆଶଙ୍କା ପ୍ରାୟତଃ ରହିବ ନାହିଁ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ । କାରଣ ୪୦ଟି ଗେଟ୍‌ରେ ସେକେଣ୍ଡ ପିଛା ହେବାକୁ ଥିବା ପ୍ରାୟ ୬ଲକ୍ଷ ଘନଫୁଟ ଜଳ ମୁଣ୍ଡଳି ନିକଟରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗୁଥିବାରୁ ଏହି ସମୟରେ ମହାନଦୀର ଅତିରିକ୍ତ ଜଳ ନିଷ୍କାସିତ ହୋଇ ସାରିଥିବ ବୋଲି ପ୍ରକାଶ କରାଯାଇଛି ।

Leave A Reply

Your email address will not be published.