ନରସିଂହଙ୍କ ବନ୍ଧୁମିଳନ : ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ସମସ୍ୟା ବିଷୟରେ ସାମ୍ବାଦିକଙ୍କ ସହ କଲେ ଚର୍ଚ୍ଚା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଏକ ବନ୍ଧୁମିଳନର ଅୟୋଜନ କରି ବଲାଙ୍ଗିରର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ତଥା ସମସ୍ୟାମାନଙ୍କ ଉପରେ ସାମ୍ବାଦିକମାନଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ସଭା ଆରମ୍ଭରୁ ସାମ୍ବାଦିକମାନଙ୍କୁ ସ୍ୱାଗତ ଜଣାଇବା ସହ ଗତ ବିଧାନସଭାରେ ଶ୍ରୀ ମିଶ୍ର ଉତ୍‌ଥାପନ କରିଥିବା ବିଭିନ୍ନ ପ୍ରଶ୍ନ ଓ ତାହାର ସରକାରୀ ଉତ୍ତର ବଖାଣିଥିଲେ । ତା’ଛଡା ଏ ଭିତରେ ସହର ତଥା ଆଖପାଖ ଅଂଚଳରେ ଉପୁଜିଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ସାମ୍ବାଦିକଙ୍କୁ ପଚାରି ବୁଝିଥିଲେ । ସଭାରେ ବହୁ ପ୍ରତିକ୍ଷିତ ବିଭିନ୍ନ ଜନ ସମସ୍ୟା ଯଥା କୃଷି ବିଶ୍ୱବିଦ୍ୟାଳୟ, ଲୋୟର ସୁକତେଲ, ଲକ୍ଷ୍ମୀଜୋର୍‌ ପ୍ରକଳ୍ପ, ମେଡିକାଲ କଲେଜ ଓ ଡାକ୍ତରଖାନା, ବାଏପାସ୍‌, ବନ୍ଧ କଂଟାର ଉନ୍ନତିକରଣ, ହାଇକୋର୍ଟ ବ୍ୟାଞ୍ଚ, ଆଇନ ସୁରକ୍ଷା, ଶିକ୍ଷା ବ୍ୟବସ୍ଥା ତଥା ଜାଲ୍‌ ସାର୍ଟିଫିକେଟ୍‌ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଥିଲା । ତାର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ଯେ, ବଲାଙ୍ଗିରର ଉନ୍ନତି ପାଇଁ ବାରମ୍ବାର ଲଢେଇ କରି ଅର୍ଥ ଅଣା ଯାଉଛି । କିନ୍ତୁ ଯଦି ଖୋଦ ନିର୍ବାଚିତ ଜନ ପ୍ରତିନିଧି ବା ଅନୁଷ୍ଠାନ ଜନମଙ୍ଗଳ କାମ, ଉନ୍ନତିମୂଳକ କାମକୁ ବନ୍ଦ କରିବାକୁ ଚକ୍ରାନ୍ତ କରିବେ, ତାହେଲେ ଅବସ୍ଥା କ’ଣ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବଲାଙ୍ଗିରର ବନ୍ଧ କଂଟାର ଅବସ୍ଥା ମଣିଷ ବ୍ୟବହାର ଉପେଯାଗୀ ନୁହେଁ । ବିଭିନ୍ନ ବନ୍ଧର ଉନ୍ନତି ପାଇଁ ଦାବୀ ହେଲା ପରେ ସରକାର ଅର୍ଥ ମଞ୍ଜୁର କରିଛନ୍ତି । କେବଳ ମହାରାଣୀ ସାଗରର ଉନ୍ନତି ପାଇଁ ୨୨ କୋଟି ଟଙ୍କା ଆସିଛି । ପ୍ରଥମେ ଜବରଦଖଲ ଉଚ୍ଛେଦ, ଥଇଥାନ, ତା’ପରେ ପଙ୍କ ଉଦ୍ଧାର ଓ ଶେଷରେ ସୌନ୍ଦର୍ଯ୍ୟକରଣ ହେବା କଥା । କିନ୍ତୁ ଧନୀକ ଶ୍ରେଣୀର ଲୋକଙ୍କ ପ୍ରରୋଚନାରେ ବଲାଙ୍ଗିର ମ୍ୟୁନିସିପାଲିଟି ଏଠାରୁ ଜବରଦଖଲ ଉଚ୍ଛେଦ କରାଇଦେବୁ ନାହିଁ ବୋଲି କ’ଣ ରିଜୋଲୁସନ କରି ବସିଛି ବୋଲି ଶୁଣିବାକୁ ମିଳୁଛି । ତେବେ ଏହି ୨୨ କୋଟି ଏବେ ଏସଏଜି ଗୃପ ହାତରେ ଟେକି ଦେଇ ପ୍ରବଳ ବାଟମାରଣାର ବ୍ଲୁ ପ୍ରିନ୍ଟ ସରିଛି । ଜନସାଧାରଣ ମଧ୍ୟ ଏହାକୁ ବିରୋଧ ନକରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍ଷ୍ମୀଜୋର୍‌ ପ୍ରକଳ୍ପ ବହୁ ବିରୋଧ ପରେ ଧିରେ ଧିରେ ପୁଣି ଆରମ୍ଭ ହେବାକୁ ଯାଉଛି । ଚାନ୍ଦଲି ପାହାଡର ଉନ୍ନତିକରଣ ଶୀଘ୍ର ଆରମ୍ଭ ହେବ । ବଲାଙ୍ଗିର ବାଇପାସ୍‌ର ଟେଣ୍ଡର ସରିଛି । ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ । ଲୋୟର ସୁକତେଲ କାମ କ୍ଷୀପ୍ର ବେଗରେ ଚାଲିଛି । ଆବଶ୍ୟକୀୟ ପାଇପ ପହଞ୍ଚି ସାରିଛି । ୨୦୨୪ ସୁଦ୍ଧା ଏକ ରକମର ଆରମ୍ଭ ହେବା ନେଇ ଆଶା କରାଯାଉଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କୃଷି ବିଶ୍ୱବିଦ୍ୟାଳୟକୁ ନେଇ ୨୦୧୬ରେ ସରକାର ରାଜ୍ୟପାଳଙ୍କ ମୁହଁରୁ ଏକ ରକମ ଘୋଷଣା କରିଥିଲେ । ତା’ପରେ ବିଧାନସଭାର ପ୍ରତି ବୈଠକରେ ଏହାକୁ ନେଇ ଜୋର୍‌ଦାର୍‌ ଦାବୀ କରାଯାଇଛି । କିନ୍ତୁ ଘୋଷଣା ପରେ ୟୁଟର୍ଣ୍ଣ ନେବା ଏହି ସରକାରର ମାନସିକତା ସର୍ବସମ୍ମୁଖରେ ପକାଇଛି ବୋଲି ସେ କହିଛନ୍ତି । ଶିକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ଆବଶ୍ୟକୀୟ ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ପାଇଁ ପ୍ରବଳ ଚାପ ପ୍ରୟୋଗ କରାଯାଇଛି । ସହରରେ ଆଇନ ଶୃଙ୍ଖଳା ଅବସ୍ଥା ପୂର୍ବାପେକ୍ଷା ଅନେକ ସୁଧୁରିଛି । ନିଶା, ଜମି ଓ କଫ୍‌ ସିରପ୍‌ ମାଫିଆ, ଗୁଣ୍ଡାମାନଙ୍କୁ ପୋଲିସ କାବୁ କରିବା ସହ ପ୍ରାୟତଃ ସମସ୍ତଙ୍କ ବିଜେଡି ଲିଙ୍କ ଥିବା ସତ୍ୱେ ସେମାନଙ୍କ ଘର ଭାଙ୍ଗି ବେଦଖଲ କରିବା କମ୍‌ କଥା ନୁହେଁ, ଏଥିପାଇଁ ଜିଲ୍ଲା ପୋଲିସ ପ୍ରଶାସନ ସାଧୁବାଦର ପାତ୍ର ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଜାଲ୍‌ ସାର୍ଟିଫିକେଟ୍‌ ମାମଲାରେ ମଧ୍ୟ ୨ ଦିନ ଭିତରେ ତଦନ୍ତ କରି ୧୯ ଜଣଙ୍କୁ ବଲାଙ୍ଗିର ପୋଲିସ ଗିରଫ କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ୧୦ ଦିନରେ ହାତ ଗଣତି କିଛି ଡାକି ପୁଛ୍‌ତାଛ୍‌ କରି ଛାଡି ଦେବା ନିରୁତ୍ସାହଜନକ ବୋଲି ସେ କହିଛନ୍ତି । ପୁଣି ଶ୍ରୀ ମିଶ୍ର କହିଛନ୍ତି ଯେ, ଯେ କୌଣସି ତଦନ୍ତକାରୀ ଅଧିକାରୀ ସ୍ୱାଧୀନ ଓ ନିଷ୍ପକ୍ଷ ହେବା ଆବଶ୍ୟକ । ଏଠାରେ କ୍ରାଇମ୍‌ବ୍ରାଞ୍ଚ ଡିଏସପି ମିଡିଆ ଆଗରେ କହିଥିବା ଉକ୍ତି ‘ଉପରୁ ଅର୍ଡର ହେଲେ କରାଯିବ’ ଏଥିରୁ ଦାଲ ମେଁ କୁଛ କାଲା ହୈ ଜଣାପଡୁଛି ବୋଲି ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଥିଲେ ।

Leave A Reply

Your email address will not be published.