jayashree

ମମିତା ମେହେର ହତ୍ୟା ଘଟଣା : ଭାଜପା ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ

ନୂଆପଡ଼ା, (ନିରାକାର ମେହେର) : ବହୁ ଚର୍ଚ୍ଚିତ ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ, ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବୀରେ ଗତକାଲି ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭାଜପା ପକ୍ଷରୁ ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ ପାଳନ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ଗତକାଲି ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ିଚଳାଚଳ ମଧ୍ୟ ବନ୍ଦ ରହିଥିଲା । ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଥିଲା । ଭାଜପା ପକ୍ଷରୁ ସକାଳ ୬ଟାରୁ ନୂଆପଡ଼ା ସଦର ୩୫୩ ଜାତୀୟ ରାଜପଥରେ ବିଜେପି ନେତାମାନେ ଏକତା ଛକରେ ରାସ୍ତା ଅବରୋଧ କରିବାରୁ ଯାନବାହାନ ବନ୍ଦ ରହିଛି । ଏହି ବନ୍ଦରେ ନୂଆପଡ଼ା ଜିଲ୍ଲା ସମସ୍ତ ସରକାରୀ, ବେସରକାରୀ ଅଫିସ, କୋର୍ଟ, ବ୍ୟାଙ୍କ, ସ୍କୁଲ କଲେଜ ଓ ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା । ଏହି ବନ୍ଦରେ ନୂଆପଡ଼ା ଭାଜପା ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ସଦାନନ୍ଦ ଯୋଶୀ, ମନିଜର ଆର୍ଯ୍ୟ, ହୋମ ସିଂ ମାଝୀ, ଗୋଲୁ ଦଣ୍ଡସେନା, ଭଗତ ସିଂ ଉପସ୍ଥିତ ରହିଛନ୍ତି । ସେହିପରି ଖଡ଼ିଆଳ ଥାନା ଚୌକଠାରେ ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତିଙ୍କ ନେତୃତ୍ୱରେ ବନ୍ଦ ପାଳନ ହେଉଥିବା ବେଳେ ଖଡ଼ିଆଳ, କୋମନା, ଉଦ୍ୟାନବନ୍ଦ, ନୂଆପଡା ଖରିଆର ରୋଡ଼ଠାରେ ୩୫୩ ନଂମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ଓ ୩ ଏନ୍‌ଏସିରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.