ଆସନ୍ତା ୬ ତାରିଖ ବଲାଙ୍ଗିର ବନ୍ଦ ଡାକରା ସ୍ଥଗିତ : ଘୋଷଣା କଲା ବଲାଙ୍ଗିର ଏକ୍ସନ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ୬ ତାରିଖ ବଲାଙ୍ଗିର ବନ୍ଦ ଡାକରା ସ୍ଥଗିତ କରାଯାଇଥିବା ନେଇ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିରର ବିଭିନ୍ନ ଜନାହିତକାରୀ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ତଥା ଆସିଥିବା ଅନୁଦାନ ଟଙ୍କା ଫେରିଯିବାକୁ ନେଇ ବଲାଙ୍ଗିର ଏକ୍ସନ କମିଟି ପକ୍ଷରୁ ଆସନ୍ତା ୬ ତାରିଖରେ ୧୨ ଘଣ୍ଟିଆ ହରତାଳ(ବନ୍ଦ) ଡାକରା ଦିଆଯାଇଥିଲା । ଆମର ଦାବୀ ଥିଲା, ବଲାଙ୍ଗିର ସହରର ଉନ୍ନତିମୂଳକ କାର୍ଯ୍ୟରେ ଆସୁଥିବା ଅର୍ଥର ବିନିଯୋଗ କରାଯାଉ ଏବଂ ଆର୍ଥିକ ବର୍ଷ ଶେଷରେ ଅର୍ଥ ଫେରି ନଯାଉ । କିନ୍ତୁ ଦେଖାଗଲା କିଛି ବ୍ୟକ୍ତି, ବଲାଙ୍ଗୀର ଜନସାଧାରଣଙ୍କ ସାମଗ୍ରୀକ ଉନ୍ନତି ପାଇଁ କରୁଥିବା ଏହି ଆନ୍ଦୋଳନକୁ ବିଭିନ୍ନ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହେଉଥିବା ଜନସାଧାରଣଙ୍କ ଘର ଭାଙ୍ଗିବା ପାଇଁ ଉଦ୍ଧିଷ୍ଟ ବୋଲି ଅପପ୍ରଚାର କରୁଛନ୍ତି । ବଲାଙ୍ଗିର ଏକ୍ସନ କମିଟି, ୨୦୦୯ ମସିହାରୁ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଆନ୍ଦୋଳନ କରିଆସୁଛି ଏବଂ ସଦା ସର୍ବଦା ଆମର ନାରା ରହିଛି, ” ବିସ୍ଥାପିତଙ୍କ ଉଚିତ୍‌ କ୍ଷତିପୂରଣ ଏବଂ ସମ୍ମାନର ସହ ଥଇଥାନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉ” । ଏକ୍ସନ କମିଟି, ସହରର ବିଭିନ୍ନ ପ୍ରକଳ୍ପରେ ହେଉଥିବା କ୍ଷତିଗ୍ରସ୍ତ ଲୋକଙ୍କ ସହ ରହିଛି ଏବଂ ସଦାସର୍ବଦା ରହିବ । ସହରର ବିଭିନ୍ନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ବଲାଙ୍ଗିରର ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେଇ ଏବଂ ଆସନ୍ତାକାଲି ୬ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷ୍‌ପୁନି ପଡ଼ୁଥିବାରୁ କମିଟି ଆସନ୍ତା ୬ ତାରିଖ ହେବାକୁ ଥିବା ୧୨ ଘଣ୍ଟିଆ ବନ୍ଦ ଡାକରାକୁ ସ୍ଥଗିତ ରଖୁଛୁ ବୋଲି ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!