ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ଦଳ ତରଫରୁ ଆସନ୍ତାକାଲି ରବିବାର ଦିନ ସଇଁତଲା ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ରାଜ୍ୟ ସରକାର ସଇଁତଲା ସହରକୁ ଅଣଦେଖା କରିବା ସହିତ ବିଭିନ୍ନ ଉନ୍ନତି ଦିଗରେ ବୈମାତୃକ ମନୋଭାବ ପୋଷଣ କରିଆସୁଛନ୍ତି । ଏପରିକି ପାନୀୟ ଜଳଯୋଗାଣରୁ ଆରମ୍ଭ କରି ସହରର ଉନ୍ନତି କ୍ଷେତ୍ରରେ ଅବହେଳା କରି ଆସୁଥିବା ପ୍ରତିବାଦରେ କଂଗ୍ରେସ ବନ୍ଦ ଡାକରା ଦେଇଛି । ଏଥିରେ ମୁଖ୍ୟ ଦାବୀଗୁଡିକ ହେଲା ସଇଁତଲା ସହରକୁ ଏନ୍ଏସି ମାନ୍ୟତା, ପଞ୍ଚାୟତରେ ଥିବା ୩ ଗୋଟି ଓଭର ପାଣି ଟାଙ୍କି ଅଚଳ ହୋଇ ପଡିଥିବା ଟାଙ୍କିକୁ କାର୍ଯ୍ୟକ୍ଷମ କରିବା, ସଇଁତଲା – ବାଦୀପଡା ଲାନ୍ଥନଦୀ ବ୍ରିଜକୁ ସମ୍ପୂର୍ଣ୍ଣ କରିବା, ସବ ଟ୍ରେଜେରୀ ଅଫିସ ସ୍ଥାପନ କରିବା, ବ୍ଲକରେ ଅବକାରୀ ଅଫିସ ଖୋଲିବା, ଶବ ବ୍ୟବଛେଦ କେନ୍ଦ୍ର ଖୋଲିବା, ଡାକ୍ତରଖାନାରେ ଡାକ୍ତର ପଦବୀ ପୂରଣ କରିବା, କନ୍ୟା ଆଶ୍ରମ (ଏସ୍ଏସ୍ଡି) ବିଦ୍ୟାଳୟରେ +୨ ଖୋଲିବା, ରମେଶ ସିଂ ଭୋଇ ଷ୍ଟାଡିୟମର ପାଣ୍ଠିକୁ ଅନ୍ୟତ୍ର ସ୍ଥାନାନ୍ତରିତ, ବ୍ଲକରେ ଥିବା ଅଚଳ ଉଠାଜଳସେଚନ ପଏଣ୍ଟଗୁଡିକୁ କାର୍ଯ୍ୟକ୍ଷମ କରିବା, ବ୍ଲକ ଛକକୁ ପାନୀୟ ଜଳଯୋଗାଣ କରିବା ସହ ବିଭିନ୍ନ ଦାବୀଗୁଡିକ ଉଲ୍ଲେଖ ରହିଛି । ଏହି ବନ୍ଦରେ ସକାଳ ୬ରୁ ଅପରାହ୍ନ ୨ ଘଣ୍ଟା ପର୍ଯ୍ୟନ୍ତ ସହରର ସମସ୍ତ ଦୋକାନବଜାର ଗୁଡିକ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହୁଥିବା ବେଳେ ଜରୁରୀକାଳୀନ ସେବା ଗାଡି ଚଳାଚଳ, ଆମ୍ବୁଲାନ୍ସ ଓ ଔଷଧ ଦୋକାନଗୁଡିକ ସ୍ୱାଭାବିକ ରହିବ ବୋଲି ଜଣାଯାଇଛି ।