jayashree

୧୪ ନଭେମ୍ବରରେ ବଲାଙ୍ଗିର ଚାଲ୍‌ ଡାକରା ଦେଇଛି ବଲାଙ୍ଗିର ଓ ସୋନପୁର ଜିଲ୍ଲା ମିଳିତ କୃଷକ ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀମାନଙ୍କ ବିଭିନ୍ନ ଦାବୀକୁ ନେଇ ଆଗାମୀ ୧୪ ନଭେମ୍ବରରେ ବଲାଙ୍ଗିର ଚାଲ୍‌ ଡାକରା ଦେଇଛି ବଲାଙ୍ଗିର ଓ ସୋନପୁର ଜିଲ୍ଲା ମିଳିତ କୃଷକ ମଞ୍ଚ । ଏ ସଂକ୍ରାନ୍ତରେ ବଲାଙ୍ଗିର ସାମ୍ବାଦିକ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରାଯାଇ ମଞ୍ଚ ପକ୍ଷରୁ ଘୋଷଣା କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଓ ସୋନପୁର ଜିଲ୍ଲା ମିଳିତ କୃଷକ ମଞ୍ଚର ଆବାହକ ଆକାଶ ମିଶ୍ର, ବଲାଙ୍ଗିର ଜିଲ୍ଲା କୃଷକ ମହାସଂଘର ସଭାପତି ଯତି ପଧାନ, ସାଧାରଣ ସଂପାଦକ ଚଗଲା ପରିଚ୍ଛା, ସୋନପୁର ଜିଲ୍ଲା ସଭାପତି ବିପ୍ରଚରଣ ସାହୁ, ବିଶିଷ୍ଟ ଚାଷୀ ନେତା ଅରୁଣ କୁମାର ମିଶ୍ର ଏବଂ ବିଭୂଦତ୍ତ ମିଶ୍ର ମଂଚାସୀନ ହୋଇ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସଂପର୍କରେ ଆଲୋଚନା କରିଛନ୍ତି । ଗତ ଅକ୍ଟୋବର ୧୮ ତାରିଖ ଦିନ କେନ୍ଦ୍ର ସରକାର ୭ଟି କୃଷିଜାତ ଦ୍ରବ୍ୟ ଗହମ, ବାର୍ଲି, ଚଣା, ମସୁରୀ, ରାଶି, ସୋରିଷ ଓ ସୂର୍ଯ୍ୟମୁଖୀର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍‌.ଏସ୍‌.ପି. ବୃଦ୍ଧି କରିଥିବା ଯୋଗୁଁ ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତାମାନେ ସ୍ୱାଗତ କରିଥିଲେ । କିନ୍ତୁ ଦୀର୍ଘ ୫ ବର୍ଷରୁ ଅଧିକ ହେଲା ଓଡ଼ିଶାର ଚାଷୀ ଧାନ ଏବଂ କପାର ଏମ୍‌.ଏସ୍‌.ପି. ବୃଦ୍ଧି ପାଇଁ ଦାବୀ କରି ଆସୁଥିଲେ ସୁଦ୍ଧା କେନ୍ଦ୍ର ସରକାର କର୍ଣ୍ଣପାତ କରୁ ନଥିବା ଦୋଷାରୋପ କରାଯାଇଛି । ଏପରିକି ଓଡ଼ିଶା ବିଧାନସଭାରୁ ସର୍ବଦଳ ସମ୍ମତିକ୍ରମେ ଧାନ କ୍ୱିଣ୍ଟାଲ ପିଛା ୨ ହଜାର ୯ ଶହ ୩୦ ଟଙ୍କା କରିବାକୁ ବହୁବର୍ଷ ହେଲା ପ୍ରସ୍ତାବ ପାରିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହା ଲାଗୁ ହୋଇନଥିବାରୁ କ୍ଷୋଭ ପ୍ରକାଶ କରାଯାଇଛି । ଚାଷୀ ନେତାମାନଙ୍କ ପକ୍ଷରୁ ଆହୁରି କୁହାଯାଇଛି ଯେ, ଓଡ଼ିଶାର ଚାଷୀ କ୍ୱିଣ୍ଟାଲ୍‌ ପ୍ରତି ୨ ହଜାର ୧ ଶହ ୮୭ ଟଙ୍କା ଦରରେ ଧାନ ବିକ୍ରି କରୁଥିବା ବେଳେ ପଡେ଼ାଶୀ ଛତିଶଗଡ଼ରେ ଚାଷୀ କ୍ୱିଣ୍ଟାଲ ପ୍ରତି ୩୨ ଶହ ଟଙ୍କା ଦରରେ ଚଳିତ ଖରିଫ୍‌ ଋତୁରେ ବିକ୍ରି କରିବ । ତେବେ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଗାମୀ ୧୪ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯିବ ବୋଲି ସମ୍ମିଳନୀରେ ଘୋଷଣା କରାଯାଇଛି । ମଂଚ ପକ୍ଷରୁ ଘୋଷିତ ଦାବୀ ଗୁଡ଼ିକ ହେଲା- ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଉ, କପାର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଉ, ଚାଷୀର ସମସ୍ତ ଧାନକୁ ବିନା ସର୍ତ୍ତରେ କ୍ରୟ କରାଯାଉ, ଧାନର କଟ୍‌ନୀ ଛଟ୍‌ନୀ ସଂପୂର୍ଣ୍ଣ ବନ୍ଦ ହେଉ, ରୋଗପୋକକୁ ଆଖି ଆଗରେ ରଖି କୃଷିଜାତ ଦ୍ରବ୍ୟର ସଠିକ୍‌ ତଦନ୍ତ କରାଯାଇ ବୀମା ରାଶି ପ୍ରଦାନ କରାଯାଉ, କୃଷି ପାଇଁ ବ୍ୟବହୃତ ହେଉଥିବା ବିଜୁଳି ବିଲ୍‌କୁ ସଂପୂର୍ଣ୍ଣ ଛାଡ଼ କରାଯାଉ, ଚାଷ ପାଇଁ ବ୍ୟବହୃତ ହେଉଥିବା କିରୋସିନୀ ପମ୍ପ ପାଇଁ ଚାଷୀଙ୍କୁ ରିହାତି ଦରରେ କିରୋସିନୀ ଯୋଗାଇ ଦିଆଯାଉ, ଚାଷୀଙ୍କ ଧାନ ବିକ୍ରି ହେଉଥିବା ବସ୍ତା ଫେରସ୍ତ କରାଯାଉ, ପ୍ରତ୍ୟେକ ସୋସାଇଟିରେ ସପ୍ତାହକ ସାତ ଦିନ ଧାନକ୍ରୟର ବ୍ୟବସ୍ଥା କରାଯାଉ, ପ୍ରତ୍ୟେକ ସୋସାଇଟିରେ ସିସିଟିଭି କ୍ୟାମେରାର ସଦ୍‌ଉପଯୋଗ କରାଯାଉ, ଚାଷୀର ଟ୍ରାକ୍ଟର ସହିତ ଟ୍ରଲିର କମର୍‌ସିଆଲ୍‌ ଟେକ୍ସ ଛାଡ଼ କରାଯାଉ । ତାଲିକାଭୁକ୍ତ ନଥିବା ଅନ୍ୟ କୃଷିଜାତ ଦ୍ରବ୍ୟ ମୁଗ, ବିରି, ଚିନାବାଦାମ, ମକା ଇତ୍ୟାଦିର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଉ ।

Leave A Reply

Your email address will not be published.