
- ଚଳିତବର୍ଷ ଭକ୍ତମାନେ ଫ୍ରି ଦର୍ଶନ କରିବେ – ଜିଲ୍ଲାପାଳ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱବନ୍ଦନୀୟା ଶକ୍ତି ପ୍ରଦାୟିନୀ ପୂର୍ଣ୍ଣଗିରି ଶିଖରବାସିନୀ ମା’ ତାରାତାରିଣୀଙ୍କ ଚୈତ୍ରପର୍ବ ଯାତ୍ରା ସୁରୁଖୁରୁରେ ସମ୍ପାଦିତ ହେବା ସକାଶେ ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରସ୍ତୁତି ବୈଠକ ବୁଧବାର ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଭକ୍ତମାନେ ବିନା ଶୁକ୍ଳରେ, ମାଗଣାରେ ଦେବୀଙ୍କ ଫ୍ରି-ଦର୍ଶନ କରିପାରିବେ ବୋଲି ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି ।
ଚଳିତବର୍ଷ ମାର୍ଚ୍ଚ ମାସ ୧୪ ତାରିଖ ଠାରୁ ଚୈତ୍ରପର୍ବ ଆରମ୍ଭ ହୋଇ ଏପ୍ରିଲ ମାସ ୬ ତାରିଖରେ ଚୈତ୍ର-ପୂର୍ଣ୍ଣିମା ଦିନ ପର୍ଯ୍ୟନ୍ତ ଚୈତ୍ରପର୍ବ ଚାଳିବ ଏବଂ ଦୈନିକ ଲକ୍ଷାଧିକ ଭକ୍ତଙ୍କ ତଥା ଆଶାତୀତ ଭକ୍ତଙ୍କ ପ୍ରବଳ ଜନସମାଗମ ହେବ ବୋଲି କୁହାଯାଇଛି । ଅବିଭକ୍ତ ଗଞ୍ଜାମ ଜିଲ୍ଲା, କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ପ୍ରତିବର୍ଷ ଅଗଣିତ ଭକ୍ତ ମା’ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଗଞ୍ଜାମ ଜିଲ୍ଲାର ପ୍ରାୟତଃ ପ୍ରତିଟି ଘରର ଇଷ୍ଟଦେବୀ ଭାବେ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୂଜିତ । ତେଣୁ ଚୈତ୍ର-ପର୍ବ ବେଳେ ମା’ଙ୍କ ପୀଠକୁ ଆଶାତୀତ ଭକ୍ତ ଆଗମନ କରିଥାନ୍ତି । ଚଳିତବର୍ଷ ଚୈତ୍ରପର୍ବ ୪ ପାଳି ଅର୍ଥାତ୍ ମାର୍ଚ୍ଚ ମାସ ୧୪, ୨୧ ଓ ୨୮ ତାରିଖ ଏବଂ ଏପ୍ରିଲ ମାସ ୪ ତାରିଖ ଦିନ ଚୈତ୍ରପର୍ବ ୪ ପାଳି ମଙ୍ଗଳବାର ଦିନ ଦେବୀଙ୍କ ଯାତ୍ରା ସମାହିତ ହେଉଅଛି । ଏହାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାର ସହିତ କିଭଳି ଆୟୋଜନ କରାଯିବ, ସେ ଦିଗରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେ ଯେ, ଚଳିତ ବର୍ଷ ମା’ ତାରାତାରିଣୀଙ୍କ ଦର୍ଶନ ନିମନ୍ତେ ଅନେକ ଭକ୍ତ ତଥା ମାନସିକଧାରୀ ବହୁ ସଂଖ୍ୟାରେ ଯୋଗଦାନ କରିବେ ।
ପ୍ରବଳ ଜନଗହଳିକୁ ଆଖି ଆଗରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ପଡିବ । ଚଳିତବର୍ଷ ମା’ଙ୍କ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ଠାରୁ କୌଣସି ଅର୍ଥ ଆଦାୟ ନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଭକ୍ତମାନଙ୍କ ଯାତାୟତ, ସେମାନଙ୍କ ବସିବା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବାଳ-କାଟିବା ଅଥବା ମୁଣ୍ଡନ ସକାଶେ ବ୍ୟାପକ ବ୍ୟବସ୍ଥାର ବନ୍ଦୋବସ୍ତ କରାଯିବ । ସ୍ଥାନ, ଆଲୋକ ବ୍ୟବସ୍ଥା, ଦୀପ ଲଗାଇବା ସ୍ଥାନ ଇତ୍ୟାଦିର ସୁବ୍ୟବସ୍ଥା ଯେପରି ସଠିକ ହେବ ସେଥି ସକାଶେ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ୱାଗତ ଜଣାଇ ଚୈତ୍ରପର୍ବ ଆୟୋଜନ ସକାଶେ ବିଭିନ୍ନ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ । ମନ୍ଦିରର ସାଜସଜ୍ଜା, ତୋରଣ ନିର୍ମାଣ, ଦୈନିକ ପୂଜା ବିଧି, ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ବ୍ୟବସ୍ଥା ଚଳିତବର୍ଷ ମଣ୍ଡନ ସକାଶେ ବିଗତ ବର୍ଷ ଭଳି ୪ ଗୋଟି ସ୍ଥାନ ହେବ ତତ୍ ସହିତ ଅତିରିକ୍ତ ଆଉ ୨ଟି ସ୍ଥାନ ଏଭଳି ସମୁଦାୟ ୬ ଗୋଟି ସ୍ଥାନରେ କରାଯିବ । ନଦୀ କୂଳରେ ଭକ୍ତଗଣ କିଭଳି ସୁବିଧାରେ ଗାଧୋଇବା ସହିତ ଜଳ ଉଠାଇ ପାରିବେ ସେଥି ସକାଶେ ସୁବ୍ୟବସ୍ଥା ଓ ଆଲୋକିକରଣ ହେବ । ମନ୍ଦିର ପରିସରରେ ମାଙ୍କଡମାନଙ୍କ ଉପଦ୍ରବ ରୋକିବା ବ୍ୟବସ୍ଥା ଓ ସେମାନଙ୍କ ମଳ ପରିଷ୍କାର ଅବିରତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ତିନି ଗୋଟି ସ୍ଥାନରେ ଯାନ ବାହନ ରଖିବା ବ୍ୟବସ୍ଥା କରାଯିବ । ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସହିତ ୬ ଗୋଟି ସ୍ଥାନରେ ୯ ଗୋଟି ଟ୍ୟାଙ୍କର ଦ୍ୱାରା ଜଳ ଯୋଗାଣ ହେବ । ଅସ୍ଥାୟୀ ପରିସ୍ରାଗାର ନିର୍ମାଣ ହେବ । ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ଯାତାୟତ ନିମନ୍ତେ ବିଗତ ବର୍ଷ ୬ଟି ବସ୍ ନିୟୋଜିତ ହୋଇଥିବା ସ୍ଥଳେ ଚଳିତବର୍ଷ ୧୦ ଗୋଟି ବସ୍ର ବ୍ୟବସ୍ଥା କରାଯିବ । ଅଗ୍ନିଶମ ନିର୍ବାପକ ବ୍ୟବସ୍ଥା, ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା ସମେତ ଚଳିତ ବର୍ଷ ପ୍ରବଳ ଗରମ ହେବା ସମ୍ଭାବନା ଥିବା ହେତୁ ଅଂଶୁଘାତ ଚିକିତ୍ସା ସକାଶେ ନିକଟସ୍ଥ ଚିକିତ୍ସାଳୟରେ ପୂର୍ବ ପ୍ରସ୍ତୁତି କରି ରହିବାକୁ କୁହାଯାଇଛି ।
ଏହି ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ନୀଳ ମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପି. କେ. ଦଳାଇ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡିଆଇବି ଅଜୟ କୁମାର ମିଶ୍ର, ବ୍ଲକ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମପୁର ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ, ଏସ୍ଡିପିଓ ରଜନୀ କାନ୍ତ ସାମଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ମନ୍ଦିର ଟ୍ରଷ୍ଟ ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି.କେ.ରେଡ୍ଡୀ, ବରିଷ୍ଠ ସେବାୟତ ବାପୁଜୀ ରଣାଙ୍କ ସମେତ ଅନ୍ୟାନ୍ୟ ସେବାୟତ ଏବଂ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।