ଓଡିଶା ବିଧାନସଭା ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲିରୁ ଆରମ୍ଭ ହେଉଥିବା ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ବାଜସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡିଶା ବିଧାନସଭା ନୂତନ ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବାଚସ୍ପତି ଶ୍ରୀ ଆରୁଖ ଚଳିତ ବଜେଟ ଅଧିବେଶନରେ ଗୃହର ସୁପରିଚାଳନା ନେଇ ସମସ୍ତ ନେତୃବୃନ୍ଦଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର, ଅର୍ଥ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ନେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ଅଧିବେଶନରେ ରାଜ୍ୟର ୨୦୨୩ -୨୪ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି ।

ଚଳିତ ଅଧିବେଶନରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରେସ୍‌ ଗ୍ୟାଲେରୀରେ ଉପସ୍ଥିତ ରହି ପାରିବେ ଏବଂ ସାଧାରଣ ଦର୍ଶକମାନେ ମଧ୍ୟ ଦର୍ଶକ ଗ୍ୟାଲେରୀକୁ ଆସିପାରିବେ । ଦର୍ଶକମାନଙ୍କୁ ବିଧାୟକମାନଙ୍କ ଜରିଆରେ ଦର୍ଶକ ଗ୍ୟାଲେରୀ ପାଇଁ ପ୍ରବେଶ ପତ୍ର ପ୍ରଦାନ କରାଯିବ । ବୈଠକ ନିଷ୍ପତ୍ତି ଅନୁଯାୟୀ ଚଳିତ ଅଧିବେଶନରେ ସ୍ୱାସ୍ଥ୍ୟଗତ କାରଣରୁ ଗୃହରେ ଉପସ୍ଥିତ ହୋଇପାରୁନଥିବା ସଦସ୍ୟମାନେ ମଧ୍ୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଗୃହ କାର୍ଯ୍ୟରେ ଭାଗ ନେଇପାରିବେ ବୋଲି ବାଚସ୍ପତି ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.