
ଭୋଗରାଇ : ପୂର୍ବ ଭାରତ ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱର ଓ ଏସିଆର ସର୍ବବୃହତ ଶିବଲିଙ୍ଗ ବାବା ଭୂଷଣ୍ଡେଶ୍ଵର ମହାଦେବଙ୍କ ଜାଗର ଯାତ୍ରା ଓ ମହାଶିବରାତ୍ରିର ସୁପରିଚାଳନା ପାଇଁ ସୋମବାର ସନ୍ଧ୍ୟାରେ ଚନ୍ଦନେଶ୍ୱର ପାନ୍ଥଶାଳା ଠାରେ ଉଭୟ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଭୟ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ସଭାପତି ତଥା ବିଧାୟକ ଅନନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଉଭୟ ମନ୍ଦିରରେ ଜାଗର ଯାତ୍ରା ମହାଆଡମ୍ବରରେ ପାଳନ ହେବ ବୋଲି ସିଦ୍ଧାନ୍ତ ନିଆଯାଇଛି । ଚଳିତ ବର୍ଷ ଚନ୍ଦନେଶ୍ଵର ମନ୍ଦିର ବେଢ଼ାରେ ୮୦ ହଜାରରୁ ଅଧିକ ଏବଂ ଭୂଷଣ୍ଡେଶ୍ଵର ମନ୍ଦିର ବେଢ଼ାରେ ୩୦ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଜାଗର ଜାଳିବା ସହିତ ବାବାଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି । ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାରେ ଏହି ଜାଗର ଯାତ୍ରା ପାଳନ ପାଇଁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି ।