ଭବାନୀପାଟଣା ଠାରେ ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ.ସାହୁ) : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗତକାଲି ତୃତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ ବିଧାୟକ ମୌଶଧି ବାଗ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି, ଜିଲ୍ଲପାଳ ପି ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ସୁଧୀରା ମେହେର, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ ଏବଂ ଜୁନାଗଡ଼ ବିଧାୟକ ପ୍ରତିନିଧି ଦିନେଶ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ୱାନ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ଜିଲ୍ଲାର ଉନ୍ନତି ସକାଶେ ଓ ବିଭିନ୍ନ ଆଞ୍ଚଳିକ ସମସ୍ୟାର ସମାଧାନ ନିମନ୍ତେ ବୈଠକରେ ଶାନ୍ତି ପୂର୍ଣ୍ଣ ଆଲୋଚନା ଓ ଗଠନମୂଳକ ସହାୟତା କରିବାକୁ ତଥା ବିଭାଗୀୟ ଅଧିକାରୀମାନଙ୍କୁ ନିଜ ଦାୟିତ୍ଵ ସଠିକ୍ ଭାବେ ନିର୍ବାହ ସହ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ପାଇଁ ଅନୁରୋଧ କରିଥିଲେ । ସଭାପତିଙ୍କ ଅଧ୍ୟକ୍ଷତାରେ ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ଡିଡି, ଡିପିଏମ୍‌ୟୁ ଶ୍ରୀକାନ୍ତ ଦଳେଇ ଏଜେଣ୍ଡା ଅନୁଯାୟୀ ଗତ ୨୫.୦୮.୨୦୨୨ରେ ଅନୁଷ୍ଠିତ ହୋଇଥିବା ଅନୂପାଳନ ବିବରଣୀ ପାଠ କରିଥିଲେ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଧ୍ୟକ୍ଷା ଉପସ୍ଥାପନ କରିଥିବା ବିଭିନ୍ନ ପ୍ରଶ୍ନ ଉପରେ ବିଭାଗୀୟ ଅଧିକାରୀ ଉତ୍ତରକୁ ପାଠ କରିଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ଯଥା ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଉପରେ ସମୀକ୍ଷା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କ ଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟାନୁଷ୍ଠ।ନ ଗ୍ରହଣ କରିବାକୁ କହିଥିଲେ । ଜନ ଯୋଗାଣ ବିଭାଗ ତରଫରୁ ସୂଚନା ଯେ, ୨୦୨୨-୨୩ ଖରିଫ ଋତୁରେ ୨.୨.୨୦୨୩ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟ ୫୫ ଲକ୍ଷ ୧୪ ହଜାର ୧୦୩ କ୍ଵିଣ୍ଟାଲ ଧାନ ଥିବା ବେଳେ ୫୦ ଲକ୍ଷ ୯୫ ହଜାର ୨୯୪ କ୍ଵିଣ୍ଟାଲ ଧାନ ସଂଗ୍ରହ ହୋଇଛି ଯାହାକି ୯୨% ପ୍ରତିଶତ ଅଟେ । ମୋଟ ୯୪ ଜଣ ମିଲର୍ ଅଂଶଗ୍ରହଣ କରିଥିବା ବେଳେ ୭୪ଟି ପାକ୍ସ୍, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ୩୩ଟି, ୨୧୩ଟି ଧାନ ସଂଗ୍ରହ କେନ୍ଦ୍ର ସ୍ଥାପନ ହୋଇଥିଲା । ୯୮, ୩୩୩ ଚାଷୀ ପଞ୍ଜୀକୃତ ଥିବା ବେଳେ ୦୨.୦୨.୨୦୨୩ ସୁଦ୍ଧା ୯୦,୨୩୪ ଜଣ ଚାଷୀ ଧାନ ବିକ୍ରୟ କରିଛନ୍ତି । ଚଳିତ ବର୍ଷ ଖରିଫ ଋତୁରେ ଧାନ ସଂଗ୍ରହ ଅତ୍ୟନ୍ତ ଶୃଙ୍ଖଳା ଏବଂ ଉତ୍ସାହଜନକର ସହ ସମାପନ ହୋଇ ଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଉପସ୍ଥିତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ସାମୁହିକ ଭାବରେ ଧନ୍ୟବାଦ୍ ଦେଇଥିଲେ ।

ସେଭଳି ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ୪୦୪ ଡାକ୍ତର ଆବଶ୍ୟକ ଥିବା ସତ୍ୱେ ୧୬୬ଟି ପୂରଣ ହୋଇଛି ଏବଂ ୨୩୮ଟି ଖାଲି ପଡ଼ିଛି । ଆୟୁଷ ଡାକ୍ତର ୫୫ଟି ଆବଶ୍ୟକ ସତ୍ୱେ ୨୬ଟି ପୂରଣ ଓ ୨୯ଟି ଖାଲି ପଡ଼ିଛି । ଷ୍ଟାଫ୍ ନର୍ସ ୨୫୩ରୁ ୧୬୦ଟି ପୂରଣ ହୋଇଛି । ବିଶେଷଜ୍ଞ ୧୦୭ରୁ ୩୭ଟି ପୂରଣ ଓ ୭୦ଟି ଖାଲି ପଡ଼ିଛି । ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ୨୧ଟି ଏବଂ ୧୦୨ ଆମ୍ବୁଲାନ୍ସ ୧୭ଟି ରହିଛି । ବର୍ତ୍ତମାନ ଭବାନୀପାଟଣା ସହରାଞ୍ଚଳ ପିଏଚ୍‌ସିକୁ ଛାଡିଦେଲେ କେସିଙ୍ଗା ଓ ଜୁନାଗଡ଼ରେ ସହରାଞ୍ଚଳ ପିଏଚ୍‌ସିର ସ୍ଥାପନ ପାଇଁ କାମ ଆରମ୍ଭ ହୋଇଛି । ସେହି ଭଳି ବାଇକ୍ ଆମ୍ବୁଲାନ୍ସରେ ଥୁଆମୂଲ ରାମପୁର, ଲାଞ୍ଜିଗଡ଼ ଓ ଏମ୍. ରାମପୁରର ୩୩୩୪ ଜଣ ହିତାଧକାରୀ ଲାଭ ପାଇଛନ୍ତି । ପାନୀୟ ଜଳ ଯୋଗାଣରେ ଆର୍‌ଡବ୍ଲୁଏସ୍‌ଏସ ଦ୍ଵାରା ୪୧୨ଟି ଗ୍ରାମରେ ୬ଟି ମେଗା ପ୍ରୋଜେକ୍ଟ ସହ ୨୭୪ଟି ଗ୍ରାମରେ ସୋଲାର ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବ । ଡିସେମ୍ବର ୨୪ ସୁଦ୍ଧା ୨୦୬୨ଟି ରାଜସ୍ୱ ଗ୍ରାମରେ ୫୪୬ଟି ଗ୍ରାମ ପାଇପ୍ ପାନୀୟ ଜଳ ଯୋଗାଣରେ ସମ୍ପୂର୍ଣ୍ଣ ଭାବେ ଅନ୍ତର୍ଭୁକ୍ତ ହୋଇଯିବେ । ପାନୀୟ ଜଳ ଯୋଗାଣରେ ଅଚଲ ନଳକୂପ ମରାମତି ପାଇଁ ୧୫ଟି ମୋବାଇଲ୍ ରିପାୟରିଂ ୟୁନିଟ୍ କାର୍ଯ୍ୟକ୍ଷମ ଅଛନ୍ତି । ବ୍ଲକର ବିଭିନ୍ନ ପିଏଚ୍‌ସିରେ ଡାକ୍ତର ଓ ଟେକ୍ନିସିଆନ ଅଭାବରେ ଉତ୍ତରରେ ସିଡ଼ିଏମ୍‌ଓ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଖୁବ୍ ଶୀଘ୍ର ଡାକ୍ତର ପଦବୀ ପୂରଣ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ । ସେଭଳି ସଭ୍ୟ ଓ ଅଧିକାରୀମାନେ ଛତୁଆର ମାନ ଉପରେ ଅସନ୍ତୋଷ ପ୍ରକାଶ କରି ଛତୁଆ ଯୋଗାଣକାରୀଙ୍କୁ ପରିବର୍ତ୍ତନ କରିବାକୁ ଜିଲ୍ଲପାଳଙ୍କୁ ନିବେଦନ କରିଥିଲେ । ଜଳ ଯୋଗାଣର ଅନିୟମିତତା, ବିଦ୍ୟୁତ୍ ତାର ଚୋରି, ଗ୍ରୀଷ୍ମ ଋତୁ ପୂର୍ବରୁ ଅଗ୍ରାଧିକାର ଭିତ୍ତିରେ ନଳକୂପ ମରାମତି, ଓଭରହେଡ ଟ୍ୟାଙ୍କରେ ପାଣି ଯୋଗାଣ, ଗ୍ରାମ୍ୟ ରାସ୍ତା, ୫ଟି ହାଇସ୍କୁଲ କାର୍ଯ୍ୟରେ ଜନ ପ୍ରତିନିଧିଙ୍କୁ ଅଣଦେଖା, ଏଫ୍‌ଏକ୍ୟୁ ମାନର ଧାନ ଉତ୍ପାଦନ ସତ୍ୱେ କଏଦୀ ଚଟଣୀର ଶିକାର, ଶସ୍ୟ ବୀମା ପୈଠ, ଧାନମଣ୍ଡି ଖୋଲିବା, ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା, ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ଅଭାବ, ବିଦ୍ୟୁତ୍ କରଣ, ବେଆଇନ ମଦ କୋଠୀ ଉପରେ ଚଢ଼ାଉ ଉପରେ ପଚରା ଯାଉଥିବା ବିଭିନ୍ନ ପ୍ରଶ୍ନର ଉତ୍ତରକୁ ଗୃହରେ ପାଠ କରାଯାଇଥିଲା । ସଭାଟିକୁ ସଫଳ ଆୟୋଜନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଚିନ୍ତାମଣି ନେଗି, ସୁରେଶ ସାହୁ, ବିମ୍ବାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରି ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.