ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ପାଇଁ ପାତାଳୀ ମହୋତ୍ସବ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ଚଳିତ ବର୍ଷର ୧୮ତମ ପାତାଳୀ ମହୋତ୍ସବର ସଫଳ ରୁପାୟନ ପାଇଁ ବିଭିନ୍ନ ଉପାଦେୟ ପରାମର୍ଶ ମାନ ପ୍ରଦାନ କରିଥିଲେ । ଆସନ୍ତା ୨୧ ତାରିଖରେ କଳସ ଓ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୨ରୁ ୨୯ ତାରିଖ ପର୍ଯ୍ୟନ୍ତ ଚଳିତ ବର୍ଷର ପାତାଳୀ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ମହୋତ୍ସବ ପୂର୍ବରୁ ସେଠାରେ ଚାଲିଥିବା ସମସ୍ତ ଉନ୍ନୟନ କାମକୁ ଠିକ୍ ସମୟରେ ସଂପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ ପୂର୍ବକ ବିଭିନ୍ନ ଅଧିକାରୀମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ ।ବିଶେଷ କରି ମହୋତ୍ସବ ସମୟରେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପିଇବା ପାଣି ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପାତାଳୀ ଟ୍ରଷ୍ଟର ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପୂର୍ବବର୍ଷର ଆୟବ୍ୟୟ ସୂଚନା ଦେବା ସହ ଚଳିତ ବର୍ଷ ପାଇଁ ବଜେଟ ଉପସ୍ଥାପନ କରି ମହୋତ୍ସବ ପାଇଁ ଜରୁରୀ ଆବଶ୍ୟକତା ଥିବା ଅନେକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ୨୨ତାରିଖ ସଂଧ୍ୟାରେ ଜିଲ୍ଲାପାଳ ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବାକୁ ଥିବା ବେଳେ ଅନ୍ୟଦିନ ମାନଙ୍କରେ ବିଭିନ୍ନ ମନ୍ତ୍ରୀ, ରାଜନେତା, ପ୍ରଶାସନିକ ଅଧିକାରୀ ଓଟିଡିସି ଚେଆରମେନ୍ଙ୍କ ସହ ଅନ୍ୟାନ୍ୟ ଅତିଥିମାନେ ଯୋଗଦେବା ପାଇଁ ସମ୍ମତି ପ୍ରଦାନ କରିଥିବା ଜଣାପଡିଛି । ଏହି ପ୍ରସ୍ତୁତି ବୈଠକରେ ପିଡିଡିଆରଡିଏ ନିହାର ରଞ୍ଜନ କହଁର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଉଲୁଣ୍ଡା ବିଡ଼ିଓ ହେମସାଗର ଭୋଇ, ଉଲୁଣ୍ଡା ତହସିଲଦାରଙ୍କ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜଳ ଓ ପରିମଳ, ପୋଲିସ, ଅଗ୍ନିଶମ, ବିଦ୍ୟୁତ, ପିଡବ୍ଲ୍ୟୂଡି ବିଭାଗର ଅଧିକାରୀଙ୍କ ସହ ପାତାଳୀ ଟ୍ରଷ୍ଟର ଉତ୍ତର ପାତ୍ର, ଜାନକୀ ରାମ ଦେହେରୀ, ମହାଦେବ ସାହୁ, ଦିଲ୍ଲୀପ ପାତ୍ର, ନଳିନୀ କାନ୍ତ ବାଘ, ଜଗଦୀଶ କର୍ଣ୍ଣ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।