jayashree

ବିଧାନସଭା ଗୃହ ସବ କମିଟି ବୈଠକ

  • ବନ୍ଧକଟାର ପରିବେଶ ଓ ପ୍ରଦୂଷଣକୁ ନେଇ କ୍ଷୋଭ ପ୍ରକାଶ କଲେ ନରସିଂହ
    ଶୀଘ୍ର ବନ୍ଧକଟାର ପାଣି ସଫେଇ ନ କଲେ ଲୋକଙ୍କ ଜୀବନହାନୀ ଅଶଙ୍କା ଅଛି
  • ପ୍ରଥମେ ପୁର୍ନରୁଦ୍ଧାର ପରେ ସୌନ୍ଦର୍ଯ୍ୟିକରଣ କରାଯାଉ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବିଧାନସଭା ଗୃହ କମିଟିର ପରିବେଶ ଓ ପ୍ରଦୂଷଣକୁ ନେଇ ସବ୍‌ କମିଟି -୧ର କ୍ଷେତ୍ର ପରିଦର୍ଶନ ବଲାଙ୍ଗିର ବିଧାନସଭାର ପୌରାଞ୍ଚଳରେ ଥିବା ବିଭିନ୍ନ ବନ୍ଧ ପୋଖରୀ ଏବଂ ପୁଇଁନ୍ତଲା ବ୍ଲକର ଛତାମଖନା ପଞ୍ଚାୟତର ଏକ ପୋଖରୀର କ୍ଷେତ୍ର ପରିଦର୍ଶନରେ ଆଜି ଏହି କମିଟି ଅଧ୍ୟକ୍ଷ ବିଧାନସଭାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କମିଟିର ସଦସ୍ୟ ଦାଶରଥି ଗୋମାଙ୍ଗୋ ମଧ୍ୟ ଉପସ୍ଥିତ ଥାଇ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରଥମେ ପ୍ରାଥମିକ ଆଲୋଚନା ବେଳେ ଏହି କମିଟିର ଗତ ମାସର ବୈଠକରେ ନିର୍ଦ୍ଧାରିତ ହୋଇଥିବା ନିଷ୍ପତ୍ତି ଉପରେ ଆଲୋଚନା ହୋଇଥିଲା । ଏହାର ସଭ୍ୟ ବିଧାୟକ ଅମର ଶତପଥି ଏବଂ ଦେବୀ ମିଶ୍ର ବନ୍ଧକଟାମାନଙ୍କରେ ବର୍ଜ୍ୟବସ୍ତୁ ପକାଇବା ଏବଂ ଜବରଦଖଲ ଯୋଗୁଁ ପାଣି ଆଉ ମଣିଷ ବ୍ୟବହାର ଯୋଗ୍ୟ ରହୁନାହିଁ ତେଣୁ ବନ୍ଧକଟା ତଥା ଜଳଚର ଜମିରେ ଥିବା ଜବରଦଖଲ କଡାକଡି ଭାବେ ଉଚ୍ଛେଦ କରାଯାଉ ବୋଲି ଦେଇଥିବା ମନ୍ତବ୍ୟ ଉପରେ ଆଲୋଚନା ହୋଇଥିଲା । ଆଜି ବଲାଙ୍ଗିରରେ ଥିବା ମହାରାଣୀ ସାଗର ଉନ୍ନତିକରଣର ଭିତ୍ତିପ୍ରସ୍ତର ଦେବା ଠିକ୍‌ ବର୍ଷେ ପୁରିଯାଇଥିଲେ ମଧ୍ୟ ତାର କାମ ଆରମ୍ଭ ହୋଇ ନ ଥିବାର ଅଧ୍ୟକ୍ଷ ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ ଏବଂ ଉପସ୍ଥିତ ଥିବା ସହରୀ ବିକାଶ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ କଲ୍ୟାଣ କୁମାର ରଥ ଏହା ଉପରେ ଉତ୍ତର ରଖନ୍ତୁ ବୋଲି କହିଥିଲେ । ଗତ ମାସ ବଲାଙ୍ଗିରରେ ହୋଇଥିବା ବୈଠକରେ ସଚିବ ଶ୍ରୀ ରଥ ୭ ଦିନ ଭିତରେ ଏହି ପ୍ରକଳ୍ପର ବୈଷୟିକ ମଞ୍ଜୁରୀ ମିଳିଯିବା ପ୍ରତିଶୃତି ଦେଇଥିଲେ ହେଁ ତାହା ଆଜି ପର୍ଯ୍ୟନ୍ତ ହୋଇଥିବାରୁ ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ସହ ଉପସ୍ଥିତ ଥିବା ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ । ସହରରେ ଥିବା ସମସ୍ତ ୧୬ଟି ବନ୍ଧକଟାର ପାଣି ଆଉ ବ୍ୟବହାର ଉପଯୋଗୀ ନାହିଁ ବୋଲି ଆଜି ବିଭିନ୍ନ ବନ୍ଧକଟାକୁ ଗୃହ କମିଟିର କ୍ଷେତ୍ର ପରିଦର୍ଶନ ସମୟରେ ପ୍ରମାଣିତ ହୋଇଯାଇଥିଲା । ରାଣୀବନ୍ଧ, ଗେଟସରୋବର, ବେହେରାପାଲି, ଲକ୍ଷ୍ମୀଯୋର, ଦେଉଲବନ୍ଧ, କରଙ୍ଗାକଟା ଏବଂ କନ୍ଧପାଲିବନ୍ଧ ପ୍ରାୟତଃ ଡମ୍ପିଂୟାର୍ଡରେ ପରିଣତ ହୋଇସାରିଥିବାର ସଭ୍ୟମାନେ ହୃଦବୋଧ କରିଥିଲେ । ରାଣୀବନ୍ଧ ଏବଂ କରଙ୍ଗାକଟା କାମକୁ ବହୁକୋଟି ଟଙ୍କାର କାମକୁ କେବଳ ଉପରଠାଉରିଆ ଭାବରେ କଂକ୍ରିଟ ଦ୍ୱାରା ସୌନ୍ଦର୍ଯ୍ୟିକରଣ କାମରେ ସୀମିତ କରାଯାଉଥିବାରୁ ଏହା ବନ୍ଦ କରି ପ୍ରଥମେ ପଙ୍କ ଉଦ୍ଧାର, ପାଣିଧାରଣ କ୍ଷମତା ବଢାଇବା ସହ ସମ୍ପୂର୍ଣ୍ଣ ପୁନରୁର୍ଦ୍ଧାର ବ୍ୟବସ୍ଥା କରନ୍ତୁ ତା’ପରେ ଯାଇ ସୌନ୍ଦର୍ଯ୍ୟିକରଣ କରନ୍ତୁ ବୋଲି ଅଧ୍ୟକ୍ଷ ନରସିଂହ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଠିକ୍‌ ସେହିପରି ଛତାମଖନାର ମିଶ୍ର କଟାର ପାଣି ବ୍ୟବହାର ଯୋଗ୍ୟ ନ ଥିବା ଦେଖାଯାଇଥିଲା ଏବଂ ପ୍ରଦୂଷଣ ବିଭାଗର ଅଧିକାରୀ ଏଠାରୁ ପାଣି ନେଇ ବିଜ୍ଞାନଗାରରେ ଏହାର ମାନ ପରୀକ୍ଷା କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଉପସ୍ଥିତ ଥିବା ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ସହର ମଧ୍ୟରେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ପର୍ଯ୍ୟଟନ ସ୍ଥଳି ଭୀମଡୁଙ୍ଗୁରିରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ହେଉଥିବାରୁ ସେଠାକାର ପୋଖରୀ ପାଣି, ଜଙ୍ଗଲ ଯେପରି ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ ଦ୍ୱାରା ପରିବେଶ ପ୍ରଦୂଷଣ ନ ହେବ ସେ ଉପରେ ଶୀଘ୍ର ପଦକ୍ଷେପ ନେବାକୁ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲକ୍ଷ୍ମୀଯୋରରେ ଥିବା ପ୍ରଦୂଷଣକୁ ମ୍ୟୁନିସିପାଲିଟି ଏବଂ କ୍ଷୁଦ୍ର ଜଳସେଚନ ନିଜ ଭିତରେ ସମନ୍ୱୟ ରଖି ଯେତେ ଶୀଘ୍ର ହେବ ତାକୁ ପ୍ରଦୂଷଣ ମୁକ୍ତ କରନ୍ତୁ ବୋଲି କହିଥିଲେ । କରଙ୍ଗାକଟାରେ ୨୦୧୪ ମସିହା ପୂର୍ବରୁ ଅନେକ ଅନୁଦାନ ବାଟମାରଣା ହୋଇଥିବା ଅଭିଯୋଗ କ୍ରମେ ଏହାର ତଦନ୍ତ କରିବା ପାଇଁ ଗୃହ କମିଟି ନିର୍ଦ୍ଦେଶ ଦେଇଥିଲେ । ବେହେରାପାଲି ବନ୍ଧକୁ ରେଳ ବିଭାଗ ଦ୍ୱାରା ମଇଳା ପାଣି ଛାଡି ପ୍ରଦୂଷିତ କରୁଥିବାରୁ ବିଭାଗ ବିରୁଦ୍ଧରେ ପ୍ରଦୂଷଣ ବୋର୍ଡ ନୋଟିସ ଜାରି କରୁ ଏବଂ ଦରକାର ପଡିଲେ ଗ୍ରୀନ ଟ୍ରିବୁନାଲକୁ ସୁପାରିଶ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ଥିବା ଜିଲ୍ଲା ପୋଲିସ ଅଧିକ୍ଷକ ବିଭାଗ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବାର ପ୍ରତିଶୃତି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କୁ ଦେଇଥିଲେ । ଆଜିର ଆଲୋଚନା ତଥା କ୍ଷେତ୍ର ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଅତିରିକ୍ତ ସଚିବ ଜାଗା ମିଶନ ସୌମେନ୍ଦ୍ର ରାଉତରାୟ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ସାଏ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତି ସିଂହ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଶ୍ରୀ ସାମୀ ରେଡି, ଜଙ୍ଗଲ ବିଭାଗ, ଜଳସେଚନ, କ୍ଷୁଦ୍ରଜଳସେଚନ ବିଭାଗ ଅଧିକାରୀ ଏବଂ ଗୃହ କମିଟି ସହ ଆସିଥିବା ବିଧାନସଭାର ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.