ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ

  • କ୍ଲିନିକଗୁଡିକର ସ୍ଥିତି ଓ କାର୍ଯ୍ୟକାରିତାକୁ ବ୍ୟବସ୍ଥିତ କରିବା ନିମନ୍ତେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଦ୍ୱାରା ଅଚାନକ ଚଢ଼ାଉ ଉପରେ ଅଧ୍ୟକ୍ଷାଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷଠାରେ ଲିଙ୍ଗ ନିରୂପଣ ନିଷେଧ ଆଇନ-୧୯୯୪ ଅନ୍ତର୍ଗତ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି, ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଗୃହକୁ ଅବଗତ କରିଥିଲେ । ଆଇନ ପରାମର୍ଶ ଦାତ୍ରୀ ଶୋଭନା ଦାଶ ଜିଲ୍ଲାରେ ଥିବା ବିଭିନ୍ନ ଅଲଟ୍ରା ସାଉଣ୍ଡ କ୍ଲିନିକଗୁଡିକର ସ୍ଥିତି ଓ କାର୍ଯ୍ୟକାରିତା ଉପରେ ବୈଠକରେ ଉପସ୍ଥାପନା କରିଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୧ ଗୋଟି ଅଲଟ୍ରା ସାଉଣ୍ଡ କ୍ଲିନିକ ରହିଥିବା ବେଳେ ତନ୍ମଧ୍ୟରୁ କେବଳ ୦୬ ଗୋଟି ଚାଲୁ ରହିଥିବା ସୂଚୀତ କରିଥିଲେ । ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଲଟ୍ରା ସାଉଣ୍ଡ କେନ୍ଦ୍ର ସ୍ଥାପନ ଉପରେ ବୈଠକରେ ଆଲୋଚନା ହୋଇଥିଲା, ଏହି ମର୍ମରେ ବିଭାଗୀୟ ଅଧିକାରୀ ଆବଶ୍ୟକ ପଦକ୍ଷେପ ନେବାକୁ ଅଧ୍ୟକ୍ଷା ପରାମର୍ଶ ଦେଇଛନ୍ତି । ପୁନଶ୍ଚ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ ଅଲଟ୍ରା ସାଉଣ୍ଡ କ୍ଲିନିକ ଗୁଡିକର କାର୍ଯ୍ୟକାରିତା ଓ ପରିଚାଳନାକୁ ସୁନିଶ୍ଚିତ ଏବଂ ବ୍ୟବସ୍ଥିତ କରିବା ନିମନ୍ତେ ବିଭିନ୍ନ ସମୟରେ ଉଚ୍ଚ ସ୍ତରୀୟ କମିଟିର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଗୁଡିକୁ ଅଚାନକ ପରିଦର୍ଶନ ତଥା ଯାଞ୍ଚ କରିବାକୁ ଅଧ୍ୟକ୍ଷା ପରାମର୍ଶ କରିଛନ୍ତି । ଆବଶ୍ୟକ ସ୍ଥଳେ ପୋଲିସ ପ୍ରଶାସନର ମଧ୍ୟ ସହାୟତା ନେବାକୁ ସେ ପରାମର୍ଶ କରିଛନ୍ତି । ଏହି ବୈଠକରେ କମିଟିର ସଦସ୍ୟ/ସଦସ୍ୟା ଯଥା -ଏଡିପିଏଚଓ(ଏଫ ଡବ୍ଲୁ )ଡ଼ଃ ମଞ୍ଜୁରାଣୀ ସିଂ ଏଡିପିଏଚ୍‌ଓ-(ପିଏଚ୍‌)ଡ଼ଃ ରମେଶ ସ୍ୱାଇଁ, ଡିଏମଓ -ଡ଼ଃ ପ୍ରଦୀପ କୁମାର ଗୁରୁ, ମେଡ଼ିସିନ ସ୍ପେସିଆଲିଷ୍ଟ-ଡ଼ଃ ହେମନ୍ତ ମିଶ୍ର, ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡ଼ଃ ପ୍ରକାଶ ଦଣ୍ଡସେନା, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଡ଼ଃ ଶାନ୍ତି ମଞ୍ଜରୀ ମିଶ୍ର, ଅବସରପ୍ରାପ୍ତ ସିଡିଏମ୍‌ଓ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ କୁମାର ମେହେର, ଅଟଳ ବିହାରୀ ମହାପାତ୍ର -ଅତିରିକ୍ତ ସରକାରୀ ଅଧିବକ୍ତା, ଡିପିଏମ୍‌, ଏନ୍‌ଏଚ୍‌ଏମ୍‌ ବିଶ୍ୱମ୍ବର ବେହେରା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.