ଭବାନୀପାଟଣାଠାରେ ପଞ୍ଚାୟତ ନିର୍ବାଚନ ୨୦୨୨ ପରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଆଜି ଭବାନୀପାଟଣା ସ୍ଥାନୀୟ ଡିଆର୍‌ଡି ଏ ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରଥମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ମୁଖ୍ୟତଃ ପଣ୍ଡା, ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ, ପିଡି, ଡିଆର୍‌ଡି ଏ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀମତୀ ସୁଧିରା ମେହେର, ବିରୋଧୀ ଦଳ ନେତା ପ୍ରତିନିଧି ମନୋଜ ସାହୁ, ନର୍ଲା ବିଧାୟକ ପ୍ରତିନିଧି ସୁଧିର ମହାନ୍ତି ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ବ୍ଲକ ଅଧ୍ୟକ୍ଷ/ଅଧକ୍ଷା, ଜିଲ୍ଲାସ୍ତରୀୟ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ । ଡିପି ଓ ପ୍ରହ୍ଲାଦ ପ୍ରଧାନ ସଭା ପରିଚାଳନା ସହ ଏଜେଣ୍ଡା ଅନୁଯାୟୀ ସଂଚାଳନ କରିଥିଲେ । ପ୍ରଥମେ ପିଡି ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୋମେଶ ଉପାଧ୍ୟାୟ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ବିକାଶ ନିମନ୍ତେ ପ୍ରଶାସନକୁ ସହଯୋଗ ଓ ସ୍ଵମନ୍ୱୟ ରକ୍ଷା କରି ବିକାଶ ପ୍ରକ୍ରିୟାକୁ ତ୍ଵରାନିତ କରିବାକୁ ନିବେଦନ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସିଂଦେଓ ଉପସ୍ଥିତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ଵାଗତ କରି ଜିଲ୍ଲାର ଉନ୍ନତି ସକାଶେ ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୈଠକକୁ ଶାନ୍ତିପୂର୍ଣ୍ଣ ଭାବେ ଗଠନ ମୂଳକ ସହାୟତା କରିବାକୁ ଆହ୍ବାନ ଦେଇଥିଲେ ଓ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥାପିତ ଦାବୀ ଓ ସମସ୍ୟାକୁ ଶୀଘ୍ର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ଆଶା କରିଥିଲେ । ଲୋକସଭା ସାଂସଦ ଶ୍ରୀ ପଣ୍ଡା ସମସ୍ତଙ୍କୁ ସ୍ବାଗତ କରି ଲୋକଙ୍କ ପ୍ରତିନିଧି ହିସାବରେ ନିଜ ଅଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦିଅନ୍ତୁ ବୋଲି କହିଥିଲେ ଜିଲ୍ଲାପାଳ ଡ଼ ଗାଭାଲି ନିଜ ବକ୍ତବ୍ୟରେ ସମସ୍ତଙ୍କୁ ସ୍ବାଗତ କରି ସମସ୍ତେ ନିଜ ଅଞ୍ଚଳର ଉନ୍ନତି ପାଇଁ ଗଠନମୂଳକ ପ୍ରସ୍ତାବ ଦେବା ସଂଗେ ସଂଗେ ବଡ଼ ପ୍ରକଳ୍ପର ପରିକଳ୍ପନାକୁ ସାକାର କରିବା ପାଇଁ ପ୍ରଶାସନ ସଦା ବେଳେ ପ୍ରସ୍ତୁତ ଅଛି ବୋଲି କହିଥିଲେ । ପ୍ରଥମ ବୈଠକରେ ମୁଖ୍ୟତଃ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ, ସିଏଫ୍‌ସି ଓ ଏସ୍‌ଏଫ୍‌ସି ଅନୁଦାନ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲା ପରିଷଦ ସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରି ବିଭାଗୀୟ ଅଧିକାରୀଙ୍କଠାରୁ ଉତ୍ତର ଓ ସମାଧାନ ସକାଶେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ । ଆର୍‌ଡବ୍ଲୁଏସ୍‌ଏସ୍‌, ଏସ୍‌ଇଙ୍କ ସୂଚନା ଅନୁଯାୟୀ ଜିଲ୍ଲାର ୬ଟି ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ସେଥିରୁ ଥୁଆମୂଲ୍ ରାମପୁର ଓ କୋକସରାରେ କାର୍ଯ୍ୟ ପାଇଁ ଟେଣ୍ଡର ଡକାଯାଇଛି । ଏହା ବ୍ୟତୀତ ଅନ୍ୟ ୭ଟି ବ୍ଲକରେ ଘରେ ଘରେ ପାଣିର ବ୍ୟବସ୍ଥା, ୩୨୪ଟି ସୋଲାର ପାନୀୟ ଜଳ ପଏଣ୍ଟର ବ୍ୟବସ୍ଥା, ଅଚଳ ନଳକୁପକୁ ମରାମତି ପାଇଁ ପ୍ରତ୍ୟେକ ବ୍ଲକରେ ନଳକୂପ ଅଭିଯୋଗ ରେଜିଷ୍ଟର, ମୋବାଇଲ ଭ୍ୟାନ ଦ୍ୱାରା ୨୪ ଘଣ୍ଟା ମଧ୍ୟରେ ଷ୍ଟାଫ୍ ଯାଇ ମରାମତି କରିବାର ବ୍ୟବସ୍ଥା ଉପରେ କହିଥିଲେ । ଜୟପାଟଣା, ଗୋଲାମୁଣ୍ଡା, ଲାଞ୍ଜିଗଡ ଓ ଧର୍ମଗଡ ଜିଲ୍ଲା ପରିଷଦ ସଭ୍ୟ ନିଜ ନିଜ ଅଞ୍ଚଳର ପାନୀୟ ସମସ୍ୟାକୁ ଏସ୍‌ଇଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ସେଭଳି କଳାହାଣ୍ଡି ଜିଲ୍ଲାରେ ୨୯୩ଟି ହାଇସ୍କୁଲ ରହିଛି ଏବଂ ଅନେକ ସ୍କୁଲରେ ଶିକ୍ଷକ ଅଭାବ ରହିଛି । କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଅତିଶୀଘ୍ର ୬୪୯ ଟି ଶିକ୍ଷକ ପଦବୀ ପୂରଣ ହେଲେ ଅନେକ ସଭ୍ୟ ଓ ଅଧ୍ୟକ୍ଷଙ୍କ ଅଭିଯୋଗର ସମାଧାନ ହୋଇଯିବ ବୋଲି ଡିଇଓ କହିଥିଲେ । ସେହିଭଳି ୧୫୦ଟି ହାଇସ୍କୁଲ ରୂପାନ୍ତରିକରଣ କାର୍ଯ୍ୟ ସମାପ୍ତ ହେଲେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହେବ । ଅନେକ ସଭ୍ୟ ନିଜ ଅଞ୍ଚଳର ସ୍କୁଲ ମାନଙ୍କରେ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ଉପରେ କହିଥିଲେ । ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଜିଲ୍ଲାରେ ବର୍ତ୍ତମାନ ୩୩୯ଟି ଡାକ୍ତର ପଦବୀ ଆବଶ୍ୟକ ସତ୍ତ୍ୱେ କେବଳ ୧୭୨ଟି ଅଛି ଏବଂ ୧୬୭ଟି ଖାଲି ପଡ଼ିଛି । ବିଶେଷଜ୍ଞ ପଦବୀ ୧୦୭ ଜାଗାରେ କେବଳ ୩୭ ଜଣ ଓ ୭୦ ଖାଲି ପଡ଼ିଛି । ସେଭଳି ଷ୍ଟାଫ୍ ନର୍ସ, ଫାର୍ମାସିଷ୍ଟ, ଟେକନିସିଆନ୍ ପଦବୀ ଖାଲି ରହୁଛି ଏଣୁ ସ୍ବାସ୍ଥ୍ୟ ସେବା ଯୋଗଇ ଦେବାକୁ ଅସୁବିଧା ହେଉଛି ବୋଲି ସିଡିଏମ୍‌ଓ ପ୍ରକାଶ କରିଥିଲେ । ଗତ ଏପ୍ରିଲ୍ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୧୩ ଟି ବ୍ଲକରେ ସ୍ବାସ୍ଥ୍ୟ ମେଳା ଆୟୋଜନ କରାଯାଇ ୯୦୦୦ ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । ସେହିଭଳି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଦ୍ଵାରା ପୁଣି ଜିଲ୍ଲାରେ ଆସନ୍ତା ୨୯ ଓ ୩୦ ତାରିଖରେ ଜିଲ୍ଲା ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ଵାରା ଚିକିତ୍ସା କରାଯିବ । ଅନେକ ସଭ୍ୟ ନିଜ ଅଞ୍ଚଳର ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା, ଡାକ୍ତର ଅଭାବ ଉପରେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ସମାଧାନ ପାଇଁ କହିଥିଲେ । ଏହା ଉପରେ ନିଜର ମତ ରଖି ସାଂସଦ ଶ୍ରୀ ପଣ୍ଡା ଡାକ୍ତର ମାନଙ୍କୁ ନିୟମିତ ଡେପୁଟେସନରେ ଡାକ୍ତର ନ ଥିବା କେନ୍ଦ୍ରକୁ ପଠାଯାଇ ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି କହିଥିଲେ । ସଭାଟିକୁ ସଫଳ ଆୟୋଜନରେ ଜିଲ୍ଲାପରିଷଦ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଅଧକ୍ଷ ଶ୍ରୀ ସିଂହଦେଓ ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.