ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୧୬ ତାରିଖରୁ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଏଥି ନିମନ୍ତେ ୫୮ ଗୋଟି ପ୍ୟାକ୍ସ ଓ ୩୫ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମୁଦାୟ ୯୩ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ । ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲା ପରେ ଜଣାପଡିବ । ଚଳିତ ବର୍ଷ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସପ୍ତାହର ପ୍ରତ୍ୟହ ଦିନ ସକାଳ ୭ ଘଣ୍ଟାରୁ ଅପରାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୩୨୯୪୬ ଜଣ ଚାଷୀ ପଞ୍ଜିକରଣ ହୋଇଥିବା ବେଳେ ଗତ ରବିରେ ୩୦୦୨୨ ଜଣ ଚାଷୀ ପଂଜିକୃତ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟ ଗୁଡିକରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଛତାର ସହ କରିପାରିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷା ବିଭାଗୀୟ ସମ୍ପୃକ୍ତ ଅଧିକାରୀ ବୃନ୍ଦ ନିଜ ନିଜ ବିଭାଗ ମଧ୍ୟରେ ଉତ୍ତମ ତଥା ଉପଯୁକ୍ତ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ, ଚଳିତ ବର୍ଷ ତ୍ରୁଟିର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱଦେବା ସହ ଚଳିତ ବର୍ଷ ରବିଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀମତୀ ନରୱଣେ ବୈଠକରେ ସୂଚନା ଦେଇଥିଲେ । ଏହି ଗୁରୁତ୍ୱପୂର୍ଣ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦାନ କରି ଜିଲ୍ଲାରେ ଚାଷ ଓ ଚାଷୀର ଗୁରୁତ୍ୱାରୋପ କରିବା ସହ ଜିଲ୍ଲାରେ ରବିଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସୂଚାରୁରୂପେ ପରିଚାଳନା କରିବା ଉପରେ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି । ନୋଡାଲ ଅଧିକାରୀ ମାନେ ନିଜ ନିଜର କାର୍ଯ୍ୟରତ ସମ୍ପୃକ୍ତ ଅଞ୍ଚଳରେ ଥିବା ଧାନ କ୍ରୟ କେନ୍ଦ୍ର ଗୁଡିକୁ ପରିଦର୍ଶନ କରିବା ସହ ସୁପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ ପରାମର୍ଶ କରିଛନ୍ତି । ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ଯୋଗଦାନ କରି ବିଭିନ୍ନ ଧାନ କ୍ରୟ କେନ୍ଦ୍ର ଗୁଡିକରେ ହେଉଥିବା ସମସ୍ୟା ଉପରେ ସୂଚନା ପ୍ରଦାନ କରି ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ରବିଧାନ କ୍ରୟକୁ ଶୃଙ୍ଖଳିତ କରିବା ନିମନ୍ତେ ଗୁରୁତ୍ୱାରୋପ କରିଛନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ ସୂର୍ୟ୍ୟ ନାରାୟଣ ଦାଶ, ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ, ଡୋଳାମଣି ପଟେଲ, ଉପଜିଲ୍ଲାପାଳ ସୋନପୁର ନିହାର ରଞ୍ଜନ କଁହର, ବୀରମହାରାଜପୁର, ଉପଜିଲ୍ଲାପାଳ ଅଶୋକ ଭୋଇ, ବଲାଙ୍ଗିର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି, ଜିଲ୍ଲା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ସୁରେଶ ପାଣିଗ୍ରାହୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସ୍ୱାଗତ କରିବା ସହ ଅଧ୍ୟକ୍ଷ୍ୟାଙ୍କ ଅନୁମତିରେ କାର୍ଯ୍ୟ ଖସଡ଼ା ପାଠ କରିଥିଲେ ।

Leave A Reply

Your email address will not be published.

error: Content is protected !!