ଲୋଇସିଂହା ଏନଏସି ୱାର୍ଡ ଗଠନ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁୂ) : ପ୍ରଥମ ଥର ପାଇଁ ଲୋଇସିଂହାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ମିଳିଛି । ଲୋଇସିଂହା ପଞ୍ଚାୟତ, ବୁର୍ଡା ପଞ୍ଚାୟତ ଏବଂ ହୀରାପୁର ପଂଚାୟତର ପନେସରା, ସାରସମୁଣ୍ଡା ଓ ସେମେଲମୁଣ୍ଡା ଗ୍ରାମକୁ ନେଇ ଏହି ଏନଏସି ଗଠିତ ହୋଇଛି । ଏଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପରିଲକ୍ଷିତ ହୋଇଛି । ଲୋଇସିଂହା ଏନଏସିର ପ୍ରଥମ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସ୍ଥାନୀୟ ବିଡ଼ିଓଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେବା ସହିତ ମାର୍ଚ୍ଚ ଶେଷସୁଦ୍ଧା ୱାର୍ଡ ସୀମା ନିର୍ଦ୍ଧାରଣ ତଥା ଭୋଟର ତାଲିକା ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଅବସରରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଡ଼ିଓ ଅକ୍ଷୟ ପାଣି ଉଦୁଙ୍କ ଆବାହକତ୍ୱରେ ସ୍ଥାନୀୟ ବ୍ଲକ ସଭାଗୃହ ଠାରେ ୱାର୍ଡ ସୀମା ନିର୍ଦ୍ଧାରଣ ସକାଶେ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏବିଡ଼ିଓ କିଶୋର ମାନସିଂହ ନୂତନ ଏନଏସିର ୱାର୍ଡ ଗୁଡ଼ିକ ଉପରେ ସୂଚନା ପ୍ରଦାନ କରିଥିଲେ । ୨୦୧୧ ଜନଗଣନା ଅନୁଯାୟୀ, ପ୍ରସ୍ତାବିତ ଏନଏସିର ମୋଟ ଜନସଂଖ୍ୟା ୧୪,୩୮୧ ଥିବାବେଳେ ଭୋଟର ସଂଖ୍ୟା ୧୧,୩୧୪ । ଏଥିପାଇଁ ୧୩ଟି ୱାର୍ଡର ପରିକଳ୍ପନା କରାଯାଇଛି । ଲୋଇସିଂହା ପଞ୍ଚାୟତକୁ ନେଇ ୭ଟି ୱାର୍ଡ, ବୁର୍ଡା ପଞ୍ଚାୟତକୁ ନେଇ ୪ଟି ୱାର୍ଡଓ ହୀରାପୁର ପଂଚାୟତର ପନେସରା, ସେମେଲମୁଣ୍ଡା ଓ ସାରସମୁଣ୍ଡାକୁ ନେଇ ୨ ୱାର୍ଡର ପରିକଳ୍ପନା କରାଯାଇଥିବା ଜଣାଯାଇଛି । ଭୌଗୋଳିକ ସ୍ଥିତି ଓ ଜନସଂଖ୍ୟା ତଥା ଭୋଟର ତାଲିକାକୁ ଆଧାର କରି ନୂତନ ୱାର୍ଡ ଗଠନ କରାଯିବା ସହିତ ୱାର୍ଡ ସଂଖ୍ୟା ବୃଦ୍ଧି କରାଯିବା ପାଇଁ ବରିଷ୍ଠ ଆଇନଜୀବୀ ଦିଲୀପ ବେହେରା ମତ ରଖିଥିଲେ । ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ବୁର୍ଡା ସରପଞ୍ଚ ସୁଦୀପ ସା, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ଵାଳ, ଆଞ୍ଚଳିକ ବିକାଶ ପରିଷଦର କୁନା ଭୋଇ, ଆଇନଜୀବୀ ପ୍ରଶାନ୍ତ ବେହେରା, ନଜୁ ଖାନ ପ୍ରମୁଖ ସ୍ଵକୀୟ ମତାମତ ଉପସ୍ଥାପନ କରିଥିଲେ । ଲୋଇସିଂହା ତହସିଲଦାର ଟିକୁନୁ ପୁଟା, ବ୍ଲକ ଅଧକ୍ଷ ଯତୀନ୍ଦ୍ର ପଟେଲ, ଆଇଆଇସି ସିପୋରା ସାଏରା ଲୁଗୁନଙ୍କ ସମେତ ଆଞ୍ଚଳିକ ବିକାଶ ପରିଷଦର ସଦସ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ । ଏବିଡ଼ିଓ କିଶୋର ମାନସିଂହ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.