ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୫ ଆୟୋଜନ ସମ୍ପର୍କିତ ପ୍ରସ୍ତୁତି ବୈଠକ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଓସ୍ୱାନ ପ୍ରକୋଷ୍ଠରେ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପ୍ରାରମ୍ଭରେ ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ମାନସ ରଞ୍ଜନ ସାହୁ ଉପସ୍ଥିତ ରହି ଅନ୍ୟ ଅଧିକାରୀଙ୍କୁ ସ୍ୱାଗତ କରିବା ସହ ମେଳା ସମ୍ବନ୍ଧରେ ସବିଶେଷ ସୂଚନା ଦେଇଥିଲେ । ବୈଠକର ନିଷ୍ପତି ଅନୁଯାୟୀ ଚଳିତ ଡିସେମ୍ବର ମାସ ୧୯ ଏବଂ ୨୦ ତାରିଖ ଦୁଇଦିନ ଧରି ଉକ୍ତ ମେଳା ବାରିପଦା ଛଉ ପଡିଆରେ ଆୟୋଜିତ ହେବ । ଏଥିରେ ପ୍ରାୟ ୫୦ ଗୋଟି ବିଭିନ୍ନ, ପ୍ରକାର ପ୍ରଦର୍ଶନୀ ଷ୍ଟଲ କରିବାକୁ ଯୋଜନା ଅଛି । ଏହି ଷ୍ଟଲ ଗୁଡିକରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଯିବା ସହିତ ଯୋଜନାରୁ ହିତାଧିକାରୀମାନେ କିପରି ଉପକୃତ ହୋଇପାରିବେ ସେଥିପାଇଁ ସଚେତନ କରାଯିବ । ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ଵ କୃଷକମାନେ ଯୋଗଦେବେ । ସେହିପରି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଷୟ ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ଦ୍ଵାରା ଚାଷୀମାନଙ୍କୁ ଅଧିକ ବୈଷୟିକ ଜ୍ଞାନ କୌଶଳ ଓ ପ୍ରୋତ୍ସାହନ ଦେବାକୁ ମଧ୍ୟ ଯୋଜନା ରହିଛି । ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ବିଭିନ୍ନ ଯୋଜନା ଆଧାରିତ ବିଷୟବସ୍ତୁକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ବୈଠକରେ ସିଡ଼ିପିଓ ଡ଼ଃ. ରମଣୀ ରଞ୍ଜନ ବିଶ୍ୱାଳ, ଏଡିବିଓ ଡ଼ଃ. ଦେବଦତ୍ତ ଦାଶ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ପ୍ରଦୀପ ଘୋଷ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.