ସାଲେପାଲି ବୟୋଜ୍ୟେଷ୍ଠ ନାଗରିକ ଆବାସରେ ବୈଠକ : ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ ଓ ଔଷଧ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ଜିଲ୍ଲା ସ୍ତରୀୟ ବୟୋଜ୍ୟେଷ୍ଠ ନାଗରିକ କମିଟି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ଜିଲ୍ଲା ପବ୍ଲିକ ହେଲଥ୍ ଅଫିସର ଦିବ୍ୟ କିଶୋର ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ୍ ହୋତା, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟର ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ହୋତା, ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟାଳୟର ମୁଖ୍ୟ ତଥ୍ୟ ପ୍ରବେଶକାରୀ ରମାକାନ୍ତ ରଥ, ସ୍ଥାନୀୟ ଅନୁଷ୍ଠାନର ସମ୍ପାଦକ ଭୁବନେଶ୍ୱର ଶାମଲ, ନନ୍ଦି କିଶୋର ଷାଣ୍ଢ, ଡ଼ା. ସୁଶାନ୍ତ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବୟୋଜ୍ୟେଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ତଥା ସରକାରୀ ସୁବିଧା ସୁଯୋଗ ଉପରେ ଆଲୋଚନା କରାଯାଇଥିଲା । ଏହି ସଭାକାର୍ଯ୍ୟକୁ ଡ଼ା. ସୁଧାଂଶୁ ଭୂଷଣ ମେହେର ସଂଯୋଜନା କରିଥିବା ବେଳେ ଆବାସର କାର୍ଯ୍ୟନିର୍ବାହୀ କର୍ମୀ ଶିବ ପ୍ରସାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନୁଷ୍ଠାନର କର୍ମୀ ରମାକାନ୍ତ ସାହୁ, ଚତୁର୍ଭୁଜ ଭୋଇ, ସଞ୍ଜୁ ବିଶ୍ଵାଳ, ଠାକୁର ଭୋଇ, ନନ୍ଦି ସାମଲ, ରକି ବାଗ, କାହ୍ନୁ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ସମସ୍ତ ଅନ୍ତେବାସୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.