jayashree

ମୋ’ ଘର ଯୋଜନାକୁ ସଫଳ କରିବା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା ବୈଠକ

  • ବ୍ୟାପକ ପ୍ରଚାର ପ୍ରସାର ଉପରେ ଜିଲ୍ଲପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ଗୃହ ସହାୟତା ନିମନ୍ତେ “ମୋ ଘର” ଯୋଜନାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଓ ସଚେତନତା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାର “ମୋ ଘର” ଯୋଜନାରେ ନୂତନ ଗୃହର ନିର୍ମାଣ, ସମ୍ପ୍ରସାରଣ, ସମ୍ପୂର୍ଣ୍ଣକରଣ ତଥା ଉନ୍ନତିକରଣ ନିମନ୍ତେ ଯେପରି ଅଧିକରୁ ଅଧିକ ଆବେଦନ କରି ଯୋଜନାର ଲାଭ ନେଇପାରିବେ ସେଥିପାଇଁ ବିଶେଷ ଯତ୍ନବାନ ହେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଯୋଜନାର ଶତ ପ୍ରତିଶତ ସଫଳତା ନିମନ୍ତେ ଜିଲ୍ଲାର ତୃଣମୂଳ ସ୍ତରରେ ପଞ୍ଚାୟତି ରାଜ ଜନପ୍ରତିନିଧି, ଗ୍ରାମ୍ୟସ୍ତରୀୟ ଅଧିକାରୀ, ଏସ୍‌ଏଚ୍‌ଜି ସଦସ୍ୟା, ସ୍ଥାନୀୟ ଜନସାଧାରଣ ପ୍ରଭୁତିଙ୍କୁ ସାମିଲ କରି ପ୍ରତି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା, ପଲ୍ଲିସଭା ଅନୁଷ୍ଠିତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ସିଡିଓ ତଥା ଇଓ ଜିଲ୍ଲା ପରିଷଦଙ୍କୁ ପରାମର୍ଶ ଦେଇଛନ୍ତି । ପୁନଶ୍ଚ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ତଥ୍ୟ ସହ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପୂର୍ବକ ଜନସଚେତନତା କରିବାକୁ ଜିଲ୍ଲାପାଳ ଶ୍ରୀ ରାୟ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ନିହାର ରଞ୍ଜନ କଁହର ଯୋଜନାର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରି ଜିଲ୍ଲାରେ ଯୋଜନାର ସଫଳ କାର୍ଯ୍ୟକାରିତା ନିମନ୍ତେ ନିଆଯିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଥିଲେ । “ମୋ ଘର” ଯୋଜନାର ବିସ୍ତୃତ ରୂପରେଖ ଉପରେ କାର୍ଯ୍ୟକ୍ରମ ପରିଚାଳକ (ଗ୍ରାମାଞ୍ଚଳ ଗୃହ ଯୋଜନା) ଜିଲ୍ଲାପରିଷଦ ଆଲୋକ ରଶ୍ମି ମିଶ୍ର ପାୱାର ପ୍ରେଜେଣ୍ଟେସନ ଜରିଆରେ ଉପସ୍ଥାପନ କରିଥିଲେ । ବୈଠକରେ ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ସମସ୍ତ ତହସିଲଦାର, ଜିଲ୍ଲାସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, କାର୍ଯ୍ୟକ୍ରମ ପରିଚାଳକ (ସୂଚନା ଓ ପ୍ରଯ୍ୟୁକ୍ତି) ଜିଲ୍ଲା ପରିଷଦ ମନୋଜ କୁମାର ମିଶ୍ର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସନତ ନାୟକ ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.