centurian jitm

ଜିଲ୍ଲାସ୍ତରୀୟ ରବି ଧାନ କ୍ରୟ କମିଟି ବୈଠକ

nschool

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ମଇ ମାସ ୨୨ ତାରିଖରୁ ରବିଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଏଥିନିମନ୍ତେ ୬୦ ଗୋଟି ପ୍ୟାକ୍ସ ଓ ୩୪ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସାମିଲ ରହିଥିବା ବେଳେ ସମୁଦାୟ ୧୦୦ ଗୋଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଯୋଗାଣ ନିଗମ ଧାନ କ୍ରୟ କରିବ । ରବି ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲା ପରେ ଜଣାପଡିବ । ଚଳିତ ବର୍ଷ ଧାନ କ୍ରୟ କେନ୍ଦ୍ର ଗୁଡିକରେ ସପ୍ତାହର ପ୍ରତ୍ୟହ ଦିନ ସକାଳ ୭ ଘଣ୍ଟାରୁ ଅପରାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଧାନ କ୍ରୟ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ରବି ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୩୫୫୮୫ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଗତ ରବିରେ ୩୨୯୪୬ ଜଣ ଚାଷୀ ପଂଜିକୃତ ହୋଇ ୨୩୭୪୦୪୦.୨୪ କ୍ୱିଣ୍ଟାଲ ଧାନ କିଣାଯାଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗ୍ରୀଷ୍ମ ପ୍ରବାହ ଓ ପ୍ରାକ ମୌସୁମୀକୁ ଦୃଷ୍ଟିରେ ରଖି ସମସ୍ତ ଧାନ କ୍ରୟ ଗୁଡିକରେ କୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳି ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ରବି ଧାନ ବିକ୍ରୟକୁ ସହଜ, ସୁବିଧା ଓ ସ୍ଵଚ୍ଛତାର ସହ କରିପାରିବ ସେଥିପ୍ରତି ବିଶେଷ ଯତ୍ନବାନ ହେବାକୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଶ୍ରୀ ଦାଶ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ବୃନ୍ଦ ନିଜ ନିଜ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା ପୂର୍ବକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଗତ ବର୍ଷ ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇ, ଗତବର୍ଷ ହୋଇଥିବା ତୃଟିର ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେଇ ଚଳିତ ବର୍ଷ ରବିଧାନ କ୍ରୟକୁ ସୁବ୍ୟବସ୍ଥିତ କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚନା ଦେଇଥିଲେ । ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲା ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଉପଜିଲ୍ଲାପାଳ ସୋନପୁର (ଭାରପ୍ରାପ୍ତ) ଖଦାଲ ପାତ୍ର, ବଲାଙ୍ଗିର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ, ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡିଶାଙ୍କ ପ୍ରତିନିଧି ମକରଧ୍ବଜ ସାହୁ, ବିଧାୟକ ବୀରମହାରାଜପୁରଙ୍କ ପ୍ରତିନିଧି ଦ୍ୱାରିକା ସାହୁ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ସମ୍ପାଦକ ନିୟନ୍ତ୍ରିତ ବଜାର କମିଟି, ଜିଲ୍ଲା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ବୈଠକରେ ସୁରେଶ ପାଣିଗ୍ରାହୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସ୍ୱାଗତ କରିବା ସହ ଅଧ୍ୟକ୍ଷଙ୍କ ଅନୁମତିରେ ଆଲୋଚିତ କାର୍ଯ୍ୟ ଖସଡ଼ା ବୈଠକରେ ଉପସ୍ଥାପନ କରିଥିଲେ ।

Leave A Reply

Your email address will not be published.