- ସମଗ୍ର କୋଶଳାଂଚଳର ଜନସାଧାରଣ ଏପ୍ରିଲରେ କଳା ଦିବସ ପାଳନ କରନ୍ତୁ – ପ୍ରମୋଦ କୁମାର ମିଶ୍ର
ବଲାଙ୍ଗିର, (କେପିଏନ୍ଏସ୍) : କୋସଲ ରାଜ୍ୟ ସମନ୍ୱୟ ସମିତିର ଏକ ଜରୁରୀ କେନ୍ଦ୍ରୀୟ ସାଧାରଣ ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକକୁ କେନ୍ଦ୍ରୀୟ ମୁଖ୍ୟ ସଂଯୋଜକ ପ୍ରଶାନ୍ତ ମାଝୀ ସଂଯୋଜନା କରିଥିଲେ । ବୈଠକର ପ୍ରାରମ୍ଭରେ ଦିବଙ୍ଗତ କୋସଲବାଦୀ ନେତା କେଦାରନାଥ ପଟେଲ ଓ ବେଣୁ ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲା ପରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆଗାମୀ ଦିନରେ ସଠିକ୍ ବିଚାରଧାରା ରଖିଥିବା ସବୁ କୋସଲବାଦୀମାନଙ୍କୁ ଆଗାମୀ ଦିନରେ ଗୋଟିଏ ମଂଚରେ ରଖି ତଥା ଶୃଙ୍ଖଳିତ ଓ ଆତ୍ମତ୍ୟାଗୀ ଯୁବ ନେତୃତ୍ୱମାନଙ୍କୁ ସାମ୍ନାକୁ ଆଣି କୋସଲ ରାଜ୍ୟ ମୁକ୍ତି ପାଇଁ ଏକ ବୃହତ ଜନ ଆନ୍ଦୋଳନ ପୁନଃ ସଂଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଛଡା କେନ୍ଦ୍ରୀୟ ସଂଗଠନର ନେତୃତ୍ୱ ମଣ୍ଡଳୀର ସଂପ୍ରସାରଣ ଓ ଆଦର୍ଶଗତ ଶିକ୍ଷାଶିବିର ମାନ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଏପ୍ରିଲ ୧କୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କଳା ଦିବସ ଭାବରେ ପାଳନ କରିବାକୁ ଏହି ବୈଠକରେ ସ୍ଥିର କରାଯାଇଥିଲା । ଉପସ୍ଥିତ କୋସଲବାଦୀ ନେତୃ ମଣ୍ଡଳୀଙ୍କୁ ଉଦ୍ବୋଧନ ଦେଇ କୋସଲବାଦୀ ନେତା ପ୍ରମୋଦ ମିଶ୍ର ଆଗାମୀ ଏପ୍ରିଲ ୧କୁ ସମଗ୍ର କୋସଲବାସୀ ଘରେ ଘରେ କଳା ଦିବସ ଭାବରେ ପାଳନ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହାଛଡା ଯେଉଁମାନେ ବାସ୍ତବରେ କୋସଲ ପ୍ରତି ସମର୍ପିତ ସେଭଳି କୋସଲବାଦୀ ସଂଗଠକମାନେ ଏକଜୁଟ ହୋଇ ଏହି କଳା ଦିବସ ପାଳନକୁ ବ୍ୟାପକ କରନ୍ତୁ ବୋଲି ସେ ନିବେଦନ କରିଥିଲେ । ଯେଉଁମାନେ ନିଜର ରାଜନୈତିକ କେରିଅର କିମ୍ବା ଆର୍ଥିକ ଆବଶ୍ୟକତା ପାଇଁ କୋସଲ ଆନ୍ଦୋଳନକୁ ବ୍ୟବହାର କିମ୍ବା ନିନ୍ଦିତ କରୁଛନ୍ତି ସେଭଳି ଲୋକଙ୍କୁ ଦୃଢ ଜବାବ୍ ଦେବାକୁ ସେ କୋସଲ ଆନ୍ଦୋଳନକାରୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ବିପ୍ଲବରେ ମିଥ୍ୟା ପ୍ରଚାର କିମ୍ବା ଚରିତ୍ର ସଂହାରର ସ୍ଥାନ ନ ଥାଏ ତେଣୁ ଯେଉଁମାନେ ବାସ୍ତବରେ କ୍ରାନ୍ତିକାରୀ ସେମାନେ ଏ ଭଳି ବ୍ୟକ୍ତିମାନଙ୍କ ଠାରୁ ଦୂରେଇ ରହନ୍ତୁ ବୋଲି କହିବା ସହ କୋସଲ ଅଂଚଳରେ ରହି ଯେଉଁମାନେ କୋସଲ ଆନ୍ଦୋଳନର କ୍ଷତି କରିଛନ୍ତି କିମ୍ବା କରୁଛନ୍ତି ସେଭଳି ବ୍ୟକ୍ତିମାନଙ୍କୁ ଖୁବ୍ ଶୀଘ୍ର ଦୃଢ ଜବାବ୍ ଦିଆଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଥିଲେ ।
ଏହି ବୈଠକରେ କେନ୍ଦ୍ରୀୟ ଉପାଧ୍ୟକ୍ଷ ମନୋରଂଜନ ସିଂ ବରିହା, ସଂଗଠକ ବିଭୁଦତ୍ତ ମିଶ୍ର, କିଶୋର ହୋତା, ଡୋଳାମଣି ପ୍ରଧାନ, ରାମଚନ୍ଦ୍ର ଅମାତ, ସୁବେଦାର ଲଳିତ କୁମାର ସାହୁ, ପ୍ରମୋଦ ଝାଙ୍କର, ଗୌରୀ ତନ୍ତୀ, ଆଶ୍ରୟ ମହାନନ୍ଦ, ରଣରାଜ ସିଂଦେଓ, ଶରତ କୁମାର ହୋତା, ଦୀପକୁ କୁମାର ରଥ, କିଶୋର ପୁରୋହିତ, ରବି ଶଙ୍କର ମିଶ୍ର, ଗିରିଶ ଚନ୍ଦ୍ର ମାଝି, ସୁରଶେନ ବହିଦାର, ଶାନ୍ତନୁ କୁମାର ବୁଧିଆ, ପ୍ରସନ୍ନ ନେଗୀ, ପ୍ରଭାସ ମିଶ୍ର, ଅଭିଳାଷ ଭୋଇଙ୍କ ସମେତ ବହୁ ସଂଗଠକ ଯୋଗ ଦେଇଥିଲେ ।