କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡ଼ା ପଞ୍ଚାୟତର ବଇରୀକୁମ୍ପା ନିକଟରେ ରାସ୍ତା କଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣଙ୍କ ମୃତଦେହ ଫିରିଙ୍ଗିଆ ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି । ଏଥି ସହିତ ହତ୍ୟାରେ ବ୍ୟବହୃତ ପଥର, ବାଇକ, ମୃତ ଯୁବକର ମୋବାଇଲ ଓ ସାଇକେଲକୁ ମଧ୍ୟ ଜବତ କରିଛି ଫିରିଙ୍ଗିଆ ପୋଲିସ । ପ୍ରକାଶ ଯେ, ବୁଧବାର ଜାର୍ଗୀ ପଡ଼ା ଗାଁର ପ୍ରଭାତ ମଲିକ ସକାଳ ୯ ଟାରେ ଘରୁ ନିଜ ସାଇକେଲ ଧରି ବାହାରକୁ ଯାଇ ଫେରିନଥିଲେ । ଗୁରୁବାର ସକାଳୁ ବଇରୀକୁମ୍ପା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ ଦେହ ପଡ଼ିଥିବା ଲୋକମାନେ ଦେଖିଥିଲେ । ଫିରିଙ୍ଗିଆ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ମୃତ ଯୁବକଙ୍କ ମା’ ସସ୍ମିତା ମଲିକ ଫିରିଙ୍ଗିଆ ଥାନାରେ ପୁଅକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଭାବରେ ଜଣାଇଥିଲେ । ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ଅତିରିକ୍ତ ଥାନା ଅଧିକାରୀ ଦୀପକ ରାଉତ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର ଏବଂ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଘଟଣା ସ୍ଥଳରୁ ଫିରିଙ୍ଗିଆ ପୋଲିସ ମୃତ ଯୁବକଙ୍କ ମୋବାଇଲ ସହ ହତ୍ୟାରେ ବ୍ୟବହୃତ ପଥର ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ପୂର୍ବଦିନ ମୃତ ଯୁବକର ନିଜ ଦାଦା ପୁଅ ଭାଇ ଅମର ମଲିକ (ଟେରା) ୨୫ ବର୍ଷ ଓ ଜାର୍ଗୀପଡ଼ା ଗାଁର ଗଦାଧର ମଲିକ ୩ ଜଣ ମିଶି ବୁଲାବୁଲି କରିବା ସହ ବିଭିନ୍ନ ଜାଗାରେ ମଦ ପିଇଥିଲେ । ଏହା ପରେ ପ୍ରଭାତକୁ ଭୃଙ୍ଗିଯୋଡି ଛକରେ ଛାଡିଥିଲେ । ପରେ ଅମର ଏବଂ ଗଦା ୨ ଜଣ ବାଇକରେ ନାଥ ପଦର ଯାଇ ଜଣକ ଘରେ ପୁଣି ପ୍ରବଳ ମଦ୍ୟ ପାନ କରିଥିଲେ । ପରେ ଉଭୟେ ପ୍ରଭାତକୁ ସେଠାକୁ ଡାକିଥିଲେ । ପ୍ରଭାତ ନିଜ ସାଇକେଲ ଧରି ନାଥ ପଦର ଗାଁକୁ ଯାଇଥିଲା । ସେଠାରେ ୩ ଜଣକ ମଧ୍ୟରେ କିଛି ସମୟ ଯୁକ୍ତି ତର୍କ ହୋଇଥିଲା । ପ୍ରଭାତ ସାଇକେଲ ଜଣକ ଘରେ ରଖି ଗଦା ଓ ଅମର ପ୍ରଭାତକୁ ନିଜ ବାଇକରେ ବଇରୀକୁମ୍ପା ଆଡକୁ ନେଇଁଥିଲେ । ବଇରୀକୁମ୍ପା ସ୍କୁଲ ନିକଟ ରାସ୍ତା କଡରେ ଗଦା ଓ ଅମର ଗାଡି ରଖିଥିଲେ । ସେଠାରେ ପ୍ରଭାତକୁ ତଳକୁ ପକାଇ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରି ୨ ଜଣ ଘଟଣା ସ୍ଥଳରୁ ଫେରାର ହୋଇଥିଲେ । ପୋଲିସ ତଦନ୍ତ ପରେ ୨ ହତ୍ୟା କାରୀକୁ ଗିରଫ କରିଥିଲା । ହତ୍ୟାରେ ବ୍ୟବହୃତ ବାଇକକୁ ଗଦା ଘରୁ ଜବତ କରିଥିବା ବେଳେ ମୃତ ଯୁବକର ସାଇକେଲ ନାଥ ପଦର ଗାଁର କସା କହଁର ଘରୁ ଜବତ କରିଥିଲା । ଏହି ଘଟଣା ପରେ ଗଦା ଓ ଅମର କିଭଳି ପ୍ରଭାତକୁ ହତ୍ୟା କଲେ ଘଟଣା ସ୍ଥଳକୁ ଯାଇ କହିଥିଲେ । ଏହି ଘଟଣା ପରେ ଫିରିଙ୍ଗିଆ ପୋଲିସ ଉଭୟକୁ କୋର୍ଟ ଚାଲାଣ କରିଛି । ତେବେ ମୃତ ଯୁବକ ପ୍ରଭାତର ନିଜ ଦାଦା ପୁଅ ଭାଇ ହେଲା ଅମର । ସେହିପରି ଗଦାକୁ ମଧ୍ୟ ମୃତ ପ୍ରଭାତ ନିଜ ଗାଡ଼ିରେ ହେଲ୍ପର ରଖି ଗାଡି ଶିଖାଇ ବର୍ତ୍ତମାନ ଗଦା ମଧ୍ୟ ଡ୍ରାଇଭର ହୋଇ ଗାଡି ଚଳାଉଥିଲା । ପୂର୍ବରୁ ଅମର ନିଜ ଦାଦା ପୁଅ ଭାଇକୁ ଜଙ୍ଗଲରେ ହତ୍ୟା କରୀ ଜେଲ ମଧ୍ୟ ଯାଇ ଫେରିଥିବା ବେଳେ ପୁଣି ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ବେଳେ ଗଦା ନାଁରେ ମଧ୍ୟ ହତ୍ୟା ଓ ଅପହରଣ ମାମଲା ବିଭିନ୍ନ ଥାନାରେ ଥିବା ପୋଲିସ ଠାରୁ ସୂଚନା ମିଳିଛି । ତେବେ ଏହି ହତ୍ୟା ଘଟଣା ପୂର୍ବ ଶତ୍ରୁତା ଓ ପାରିବାରିକ କଳହରୁ ହୋଇଥିବା ଜଣା ପଡ଼ିଥିବା ବେଳେ କିଛି ଦିନ ପୂର୍ବରୁ ଗୋଟିଏ ବାଇକ ଭାଙ୍ଗିବା ଘଟଣାକୁ ନେଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।