ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ବହୁ ସଂଖ୍ୟାରେ ଜନ ସମାଗମ

. ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ କଲା ମୋହିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ, ପଲ୍ଲୀଶ୍ରୀ ଓ ଖାଦ୍ୟମେଳା ଆନୁଷ୍ଠାନିକ ଭାବରେ ଆଜି ଉଦଘାଟିତ ହୋଇଯାଇଛି । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଓ ବୀରମିତ୍ରପୁର ବିଧାୟକ ରୋଶନ ଯୋସେଫ ତିର୍କି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା ମେଳାର ଉଦ୍‌ଘାଟନ କରିବା ସହିତ ମେଳାର ବିଭିନ୍ନ ଷ୍ଟଲ ବୁଲି ଦେଖିଲେ ଏବଂ ଖାଦ୍ୟ ମେଳାର ବିଭିନ୍ନ ସୁସ୍ୱାଦ ଖାଦ୍ୟ ଚାଖିଥିଲେ । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଯୋଶଫ ତିର୍କି ଏହିପରି ହସ୍ତତନ୍ତ ମେଳା ପ୍ରଦର୍ଶନରେ ଉପାନ୍ତ ଅଂଚଳର କାରିଗରମାନଙ୍କ କଳାର ପ୍ରଚାର କରିବାରେ ସହାୟକ ହୋଇପାରିବ ଓ ଏହା କାରିଗର ମାନଙ୍କୁ ଉତ୍ସାହିତ କରିବା ବୋଲି କହିଥିଲେ । ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଗାଁ ଗାଁ ଅଂଚଳର ମହିଳାମାନଙ୍କୁ ମଜବୁତ କରିବା ପାଇଁ ଆହ୍ୱାନ କରିଥିଲେ । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ଗାଁ ଜନିଷ ଆଣି ସହରରେ ବିକ୍ରି କରିବା ଦ୍ୱାରା ସହର ଲୋକ ଗାଁ ଜନିଷ ପାଇପାରୁଛନ୍ତି ଓ ଗ୍ରାମୀଣ ଲୋକ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି । ଏହିପରି ଭାବରେ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ । ଜିଲ୍ଲାପାଳ ମନୋଜ ମହାଜନ ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷ ସୁରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କମଲ ଲାକ୍ରା, ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକ ଉପସ୍ଥିତ ଥିଲେ । ଜିଲ୍ଳା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁନ୍ଦରଗଡ ନନ୍ଦିନୀ ମୁଣ୍ଡାରୀ ମଂଚ ପରିଚାଳନା କରିଥିଲେ । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।  ଆଜି ନୃତ୍ୟ ମଲହାର ପକ୍ଷରୁ ଓଡିଶୀ, ନୃତ୍ୟ ଶାନ୍ତି ପକ୍ଷରୁ କାଲ୍ସିକାଲ ଫ୍ୟୁଜନ, ପାୟଲ ଡ୍ୟାନସ ଏକାଡେମୀ କଥକ ଓ ବିହୁ, ମ୍ୟୁଜିକ ସର୍କିଲ ରଜପର୍ବ ଡ୍ୟାନ୍ସ ଡ୍ରାମା, ନୃତ୍ୟ ଶାନ୍ତି ପକ୍ଷରୁ ଶିବତାଣ୍ଡବ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନୀ ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ, ଓରମାସ, ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ପ୍ରଶାସନ, ସୁନ୍ଦରଗଡ ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଉଛି । ଏହା ୭ ତାରିଖ ଯାଏ ଚାଲିବ ।

Leave A Reply

Your email address will not be published.