ପତ୍ନୀର ବାହାଘର ରୋକିବା ପାଇଁ ପୁଅକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପତ୍ନୀର ବାହାଘର ରୋକିବା ପାଇଁ ପିଲାକୁ ଧରି ଥାନାର ଦ୍ଵାରସ୍ଥ ହେଲେ ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମରେ । ଅଭିଯୋଗ ଅନୁସାରେ ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ଗ୍ରାମର ପିତବାସ ମାଝୀ ଗତ ୧୪/୦୨/୨୦୧୭ରେ ତାଙ୍କ ଗୌଡ଼ ସମାଜ ଝିଅ ଗୁଣମତୀ ମାଝୀ (ଗୁନଗୁନ)ଙ୍କୁ ସାମାଜିକ ରୀତିନୀତି ନିୟମାନୁସାରେ ବିବାହ କରିଥିବା ବେଳେ ତାଙ୍କର ଗୋଟଏ ପୁତ୍ର ଉପେନ୍ଦ୍ର ମାଝୀ (୮) ରହିଛି । ପିତବାସ ମାଝୀଙ୍କ ଧର୍ମପତ୍ନୀ ପାଟଣାଗଡ଼ ଅବକାରୀ ବିଭାଗ କନେଷ୍ଟବଳ ଭାବେ ଚାକିରି କରୁଥିଲେ । ଗୁଣମତୀ ପାଟଣାଗଡ଼ରେ ଏକା ରହୁଥିଲେ । ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟର କିଛି କଥାକୁ ନେଇ ତିକ୍ତତା ସୃଷ୍ଟି ହୋଇଥିଲା । ପିତବାସ ତାଙ୍କ ଧର୍ମପତ୍ନୀ ଗୁଣମତୀ ମାଝୀଙ୍କ ଅନ୍ୟତ୍ର ଦ୍ଵିତୀୟ ବିବାହ ହେଉଥିବା ଜାଣି ପତ୍ନୀଙ୍କ ବିବାହ ଅଟକାଇବା ପାଇଁ ତାଙ୍କ ଆଠ ବର୍ଷର ପୁଅ ଉପେନ୍ଦ୍ରଙ୍କୁ ଧରି ପାଟଣାଗଡ଼ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଗତ ତା ୨୮/୪/୨୦୨୦ ଦିନ ତାଙ୍କ ଧର୍ମପତ୍ନୀ ପାଟଣାଗଡ଼ ବ୍ରାହ୍ମପୁରାର ଅପୂର୍ବ ବିଶ୍ଵଦୀପ୍ତି ପରିଡ଼ା (ଗୌତମ) ନାମକ ଜଣେ ବ୍ୟକ୍ତିଙ୍କୁ ନୃସିଂହନାଥ ମନ୍ଦିରରେ ଦ୍ଵିତୀୟ ବିବାହ କରିଥିବା ତାଙ୍କ ଏତଲାରେ ଦର୍ଶାଇଛନ୍ତି । ତାଙ୍କ ବିନା ଅନୁମତିରେ ତାଙ୍କ ଧର୍ମପତ୍ନୀ ଗୁଣବତୀ ଅନ୍ୟତ୍ର ଦ୍ଵିତୀୟ ବିବାହ କରିଥିବା ଯୋଗୁଁ ପିତବାସ ତାଙ୍କ ଧର୍ମପତ୍ନୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିବାହକୁ ରୋକିବାକୁ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.