ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଶେୟାର ଶାଖା ସଂସ୍ଥାର ‘ସୁର ତରଙ୍ଗ’ ତରଫରୁ ସ୍ଥାନୀୟ ସିଭିକ ସେଣ୍ଟର ଠାରେ “ଅକ୍ଷୟ—ଏକ ଅମ୍ଳାନ ସ୍ମୃତି” ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଓଡ଼ିଆ ସଙ୍ଗୀତର ମହାନ ଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମହାନ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ଜୀବନ, କଳା ଓ ସଙ୍ଗୀତ ଯାତ୍ରା ଉପରେ ଆଲୋକପାତ କରାଯାଇଥିଲା । ଅନିଲ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅକ୍ଷୟ ମହାନ୍ତିଙ୍କ ପୁତ୍ର ଚିତ୍ରଭାନୁ ମହାନ୍ତି ଓ ପ୍ରସିଦ୍ଧ ସଙ୍ଗୀତଶିଳ୍ପୀ ସୁଧାଂଶୁ ଜେନା ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ଡିଆଇସି ଡ଼ା. ଅତୁନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ପୂର୍ବତନ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ, ଶେୟାରର ନିର୍ଦ୍ଦେଶକ ନିଖିଳ କଳାକାର ପ୍ରଧାନ ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଓ ପୁଷ୍ପାର୍ଘ୍ୟ ଅର୍ପଣ ମାଧ୍ୟମରେ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଚିତ୍ରଭାନୁ ମହାନ୍ତି ଓ ସୁଧାଂଶୁ ଜେନା ଅକ୍ଷୟ ମହାନ୍ତିଙ୍କ ଲୋକପ୍ରିୟ ଗୀତଗୁଡ଼ିକୁ ସୁମଧୁର ଭାବେ ପ୍ରସ୍ତୁତ କରି ସମଗ୍ର ଦର୍ଶକମଣ୍ଡଳୀକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପ୍ରାରମ୍ଭରେ ନିବେଦିତା ସ୍ୱାଇଁ, ମୀନା ପଟ୍ଟନାୟକ, ଲୀନା ସେନାପତି, ମନୋଜ ମହନ୍ତ ଓ ମିନାକ୍ଷୀ ମହାରଣାଙ୍କ ଭଜନ ଗାନ କରିଥିଲେ । ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଅକ୍ଷୟ ମହାନ୍ତିଙ୍କ ମନଛୁଆଁ ଗୀତ ପ୍ରସ୍ତୁତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଦିଲ୍ଲୀପ ପରିଡା ସ୍ୱାଗତ ଭାଷଣ ଦେଇଥିଲେ । ଶେୟାର ଅନୁଷ୍ଠାନର ସଦସ୍ୟ ସୁରେଶ ରାଉତରାୟ, ଜନ୍ମଜୟ ରାଉତରାୟ, ରାଜୀବ ନାୟକ, ଅଜୟ ରାଉତ, ସଂଜିତ ମଲ୍ଲିକ, ପ୍ରଦୀପ୍ତ ମହାନ୍ତି, ବସନ୍ତ ସ୍ୱାଇଁ ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ସୁର ତରଙ୍ଗ ପକ୍ଷରୁ ପ୍ରଥମ ଥର ପାଇଁ ଚିତ୍ରଭାନୁ ମହାନ୍ତି ଓ ସୁଧାଂଶୁ ଜେନାଙ୍କୁ ଓଡ଼ିଆ ଭାଷା ଓ ସଙ୍ଗୀତକୁ ବିଭିନ୍ନ ରାଜ୍ୟରେ ପ୍ରଚାର ପ୍ରସାର କରିଥିବା ହେତୁ “ଓଡ଼ିଆ ସ୍ୱାଭିମାନ ସମ୍ମାନ” ପ୍ରଦାନ କରାଯାଇଥିଲା । ଶେଷରେ ଶେୟାରର ପରାମର୍ଶଦାତା ଡ଼ା. ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବାଦ୍ୟଯନ୍ତ୍ରରେ ସରୋଜ ପଣ୍ଡା ଓ ତାଙ୍କ ସାଥୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅକ୍ଷୟ ଓ ସଂଗୀତ ପ୍ରେମୀ ଯୋଗଦେଇଥିଲେ ।