centurian jitm

ବିଶିଷ୍ଟ ନାଟ୍ୟକାର ବ୍ରଜମୋହନ ମିଶ୍ର ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ତଥା ଜାତୀୟ ସ୍ତରରେ ନାଟ୍ୟଜଗତରେ ସୁନାମ ଅର୍ଜନ କରିଥିବା ନାଟ୍ୟକାର ବ୍ରଜମୋହନ ମିଶ୍ର (୮୯)ଙ୍କ ଆଜି ସକାଳୁ ଦେହାନ୍ତ ହୋଇଯାଇଥିବା ସୁଚନା ମିଳିଛି । ମିଳିଥିବା ଖବର ଅନୁସାରେ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍‌ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ବାର୍ଦ୍ଧକ୍ୟ ଜନିତ ରୋଗରେ ସେ ପୀଡ଼ିତ ଥିବା ପରିବାର ପକ୍ଷରୁ କୁହାଯାଇଛି । ନାଟ୍ୟକାର ବ୍ରଜମୋହନଙ୍କ ପ୍ରଚେଷ୍ଟାରେ ବଲାଙ୍ଗିରରେ ରଙ୍ଗକାର ନାମକ ଏକ ନ୍ୟାଟାନୁଷ୍ଠାନ ଗଢ଼ିଉଠିଥିବା ବେଳେ ପାଗଳାଘୋଡ଼ା, ବାକି ଇତିହାସ, ଓଟପକ୍ଷୀ ଭଳି ଯୁଗାନ୍ତକାରୀ ନାଟକ ପ୍ରଦର୍ଶନ କ୍ଷେତ୍ରରେ ସେ ସଫଳତା ଅର୍ଜନ କରିଥିଲେ । ପୂର୍ବରୁ ସେ ମେଡ଼ିକାଲ ରିପ୍ରେଜେଣ୍ଟେଟିଭ୍‌ ଭାବରେ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ତତ୍‌କାଳୀନ ଏଡ଼ିଏମ୍‌ଓଙ୍କୁ ବିବାହ କରିଥିଲେ । ତେବେ ପୂର୍ବରୁ ତାଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇସାରିଥିବା ବେଳେ ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଦୁଇ ଝିଅ ସୋନାଲି ଓ ତିତ୍‌ଲି ଏବଂ ନାତୁଣୀମାନେ ଉପସ୍ଥିତ ଥିବା ଜଣାପଡ଼ିଛି । ତାଙ୍କ ଭଳି ଜଣେ ଉଚ୍ଚକୋଟିର ନାଟ୍ୟକାରଙ୍କୁ ହରାଇ ଓଡ଼ିଶାର ନାଟ୍ୟଜଗତ ଶ୍ରୀହୀନ ହୋଇପଡ଼ିଥିବା ବ୍ରଜମୋହନ ପ୍ରେମୀମାନେ କହିଛନ୍ତି ।

Leave A Reply

Your email address will not be published.