ଖପ୍ରାଖୋଲ ଡାକ୍ତରଖାନାରେ ଉନ୍ନତି ଚାଲିଛି ନା’ ଆଉ କିଛି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଡାକ୍ତରଖାନାର ମରାମତି ଓ ଉନ୍ନତି କାମ ଗତ ବର୍ଷେରୁ ଅଧିକ ସମୟ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । କାମ ଚାଲିଛି ବୋଲି କେବଳ କାଗଜରେ ଲେଖି, କାନ୍ଥରେ ସୂଚନା ଲଗାଇ ଠିକାଦାର ଚୁପ୍‌ଚାପ୍‌ ବସିଥିବା ଦୃଶ୍ୟ ଏବେ ସାଧାରଣ ଲୋକଙ୍କୁ ଅସନ୍ତୋଷ କରିଛି । ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ଥିବା ଶୌଚାଳୟ ମଧ୍ୟ “କାମ ଚାଲିଛି” ନାମରେ ବନ୍ଦ, ଯାହା ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଲଜ୍ଜାଜନକ ବୋଲି ଲୋକେ ଆଲୋଚନା କରୁଛନ୍ତି । ରୋଗୀଙ୍କ ଯନ୍ତ୍ରଣା, ବୃଦ୍ଧ, ମହିଳା ଓ ଶିଶୁଙ୍କ ସମସ୍ୟାକୁ ନେଇ ନା’ ଠିକାଦାର, ନା’ ପ୍ରଶାସନ, କାହାର ବି ଆନ୍ତରିକତା ଦେଖିବାକୁ ମିଳୁ ନଥିବା କୁହାଯାଇଛି । ଆଶ୍ଚର୍ଯ୍ୟ ବିଷୟ ହେଉଛି, ଡାକ୍ତରଖାନା ଭିତରେ ଥିବା ଔଷଧ ଗୋଡାଉନର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ମେଲା ହୋଇ ପଡ଼ି ରହିଛି । ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟବାନ ଔଷଧ, ଯାହା ମାନବ ଜୀବନ ବଞ୍ଚାଇବା ପାଇଁ ଉଦ୍ଧିଷ୍ଟ ଥିଲା, ଆଜି ମୁକୁଳା ଅବସ୍ଥାରେ ପଡିରହିଛି । ଏହା କେବଳ ଅବହେଳା, ନା ଏହା ପଛରେ ଅନ୍ୟ କିଛି ଭୟଙ୍କର ସତ୍ୟ ଲୁଚି ରହିଛି ବୋଲି ଲେଶକେ ପ୍ରଶ୍ନ କରିଛନ୍ତି ଡାକ୍ତରଖାନର ଏହି ଅବସ୍ଥାକୁ ନେଇ ଯଦି ଶୀଘ୍ର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଖପ୍ରାଖୋଲ ଲୋକେ ସ୍ୱର ଉତ୍ତୋଳନ କରିବାକୁ ବାଧ୍ୟ ହେବେ ବୋଲି କହୁଛନ୍ତି ।

Leave A Reply

Your email address will not be published.