ଦାଦନ ପରିବାରର କରୁଣ କାହାଣୀ : ଅସୁରକ୍ଷିତ ପୂର୍ଣ୍ଣିମା ଶେଷରେ ବାଧ୍ୟ ହେଲେ ଆତ୍ମହତ୍ୟା ପାଇଁ

ଜୟପାଟଣା, (ଶେଷଦେବ ବେହେରା) : ଯୌନ ପିପାସାର ଶିକାର ହୋଇ ଏକ ମାସ ଧରି ମାନସିକ ଯନ୍ତ୍ରଣା ଭୋଗି ଆସିଥିବା ଏକ ଆଦିବାସୀ ବିବାହିତା ମହିଳାଙ୍କ ବିଷପାନ କରି ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ସମସ୍ତଙ୍କୁ ଆଲୋଡ଼ିତ କରିଛି । ସୂଚନାରୁ ପ୍ରକାଶ ଯେ, ଜୟପାଟଣା ଥାନା ବଡ଼ କର୍ଲାକୋଟ ପଞ୍ଚାୟତ ଅନ୍ତର୍ଗତ ଜାମଚୁଆଁ ଗ୍ରାମର କରନ ମାଝୀଙ୍କ ଝିଅ ପୂର୍ଣ୍ଣିମା ମାଝୀ (୨୫) ଟିଙ୍ଗୋ ପଖାନ ଗ୍ରାମର ଉମା ମାଝୀଙ୍କୁ ୩ ବର୍ଷ ତଳେ ବିବାହ କରିଥିଲେ । ଉଭୟଙ୍କ ବିବାହିତ ଜୀବନ ସୁଖମୟ ଥିବା ବେଳେ ଅଧିକ ଉପାର୍ଜନ ପାଇଁ ଉମା ବାହାରକୁ ଚାଲି ଯାଇଥିଲା । ଇତିମଧ୍ୟରେ ନିରୋଳାର ସୁଯୋଗ ନେଇ ଗାଁରେ ରହୁଥିବା ଜଣେ ନିକଟ ସମ୍ପର୍କୀୟ ଅରୁଣ ମାଝୀଙ୍କ ମତୁଆଲା ଆଖି ପୂର୍ଣ୍ଣିମା ଉପରେ ପଡିଥିଲା । ଗତ ଏପ୍ରିଲ ୨୨ ତାରିଖ ସନ୍ଧ୍ୟା ୭ଟା ବେଳେ ପୂର୍ଣ୍ଣିମାଙ୍କୁ ଏକାକୀ ଦେଖି ନିକଟ ଜଙ୍ଗଲ ମଧ୍ୟକୁ ମୁହଁରେ ଗାମୁଛା ବାନ୍ଧି ଟେକି ନେଇ ସେଠାରେ ବଳାତ୍କାର କରିଥିବାର ଅଭିଯୋଗ ହୋଇଛି । ପୁନର୍ବାର ଏ ଘଟଣାକୁ ରାଷ୍ଟ୍ର କଲେ ଜୀବନରେ ମାରିଦେବା ପାଇଁ ମଧ୍ୟ ଅଭିଯୁକ୍ତ ଧମକ ଦେଇ ଆସୁଥିଲା । ମୃତ୍ୟୁ ଭୟରେ ଘଟଣାକୁ ଚପେଇବାକୁ ଚେଷ୍ଟା କରି ଆସିଥିବା ପୂର୍ଣ୍ଣିମା ଶେଷରେ ବାପ ଘରକୁ ଆସି ସବୁକିଛି ପ୍ରକାଶ କରିଥିଲେ । ଗତ ସୋମବାର ଦିନ ପୂର୍ଣ୍ଣିମା ଜୟପାଟଣା ଥାନାରେ ଘଟଣା କ୍ରମରେ ଲିଖିତ ଅଭିଯୋଗ କରିଥିଲେ । ମଙ୍ଗଳବାର ତାଙ୍କର ଡାକ୍ତରୀ ମାଇନା ହେବାର ଥିଲା । କିନ୍ତୁ ସୋମବାର ରାତିରେ ହିଁ ନିଜ ବାପ ଘରେ ବିଷ ପାନ କରି ଆତ୍ମହତ୍ୟା କରିଥିବା ପୋଲିସ ସୂତ୍ରରୁ ପ୍ରକାଶ । ମଙ୍ଗଳବାର ଜୟପାଟଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରି ଶବକୁ ଜୟପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ଥିବା ଜଣା ପଡିଛି । ଯାହା ପାଇଁ ପୂର୍ଣ୍ଣମୀର ଜୀବନ ଅକାଳରେ ଚାଲିଗଲା ସେହି ବଳାତ୍କାରୀ ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହେଉଛି ।

Leave A Reply

Your email address will not be published.