ନୂଆପଡ଼ା ଜିଲ୍ଲାରେ ବାଘ ଆତଙ୍କ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଅଞ୍ଚଳରେ ବାଘ ଆତଙ୍କ ଖେଳିଯାଇଛି । ସିଲିଆରିବାହାରା ଓ କୋଦାପାଲି ଗାଁ ମଧ୍ୟସ୍ଥ ଜଙ୍ଗଲରେ ଏକ ବାଛୁରୀକୁ ମାରି ଖାଇଲା ବାଘ । କୋଦାପାଲି ଗାଁର ଗୌର ସାହୁଙ୍କ ବାଛୁରୀକୁ ଏକ ବାଘ ମାରି ଖାଇଥିବା ଜଣାପଡିଛି । ସୂଚନା ଅନୁସାରେ ଶନିବାର ସକାଳେ କୋଦୋପାଲି ଗାଁର ଗୌରଙ୍କ ବାଛୁରୀ ଜଙ୍ଗଲକୁ ଚରିବାକୁ ଯାଇଥିଲା । ହେଲେ ମହୁଲ ଫୁଲ ଖାଇବା ଆଶାରେ ସନ୍ଧ୍ୟା ସୁଦ୍ଧା ବାଛୁରୀ ଘରକୁ ଫେରିନଥିଲା । ବାଘ ଭୟରେ ବାଛୁରୀ ମାଲିକ ଜଙ୍ଗଲକୁ ଖୋଜିବାକୁ ଯାଇନଥିଲେ । ଗତକାଲି ଭୋର ସକାଳୁ ଗୌର ନିଜ ଚାଷ ଜମି ପଟେ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ଦୁଇଟି ବାଘ ବାଛୁରୀକୁ ଖାଉଥିବା ଦେଖିବାକୁ ପାଇଥିଲେ । ତେବେ ବାଘ ଭୟରେ ବାଛୁରୀ ମାଲିକ ଘରକୁ ଫେରି ଆସିଥିଲେ । ପୂର୍ବାହ୍ନରେ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ବାଛୁରୀର ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ଏବେ ସିଲିଆରିବାହାରା ଓ କୋଦାପାଲି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ବାଘ ଆକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।

Leave A Reply

Your email address will not be published.

error: Content is protected !!