ବଲାଙ୍ଗିର ଜିଲ୍ଲାରେ ୧୩୧୩ ଜଣ ହିତାଧିକାରୀଙ୍କୁ ଆଶୀର୍ବାଦ ଯୋଜନାରେ ଅର୍ଥରାଶି ବିତରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ଆଦି ଆଶୀର୍ବାଦ ଯୋଜନାର ହିତାଧିକାରୀ ମାନଙ୍କୁ ଅର୍ଥରାଶି ବିତରଣ କାର୍ଯ୍ୟକ୍ରମ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ଜରିଆରେ ଆଜି ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୧୩୧୩ ଜଣ ହିତାଧିକାରୀଙ୍କୁ ଅର୍ଥରାଶି ବିତରଣ କରାଯାଇଛି । ୧୩୧୩ ଜଣ ଶିଶୁଙ୍କ ନିମନ୍ତେ ପ୍ରଥମ ମାସ ପାଇଁ ମୋଟ ୧୯ ଲକ୍ଷ ୮୨ ହଜାର ଟଙ୍କା ବିତରଣ କରାଯାଇଛି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ଅର୍ଥରାଶି ବିତରଣ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥରାଶି ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଆଶୀର୍ବାଦ ଯୋଜନାରେ ବଲାଙ୍ଗିର ଜିଲ୍ଲାର ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ମାଗଣା ଶିକ୍ଷା, ଉଚ୍ଚ ଶିକ୍ଷା ନିମନ୍ତେ ଗ୍ରୀନ୍‌ ପାସେଜ୍‌ ସହାୟତା ଯୋଜନା ସେମାନଙ୍କୁ ଯେପରି ସାମିଲ୍‌ କରାଯାଇ ପାରିବ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେବା ସହ ଆଶୀର୍ବାଦ ଯୋଜନା ବିଶେେ ଯତ୍ନ ଆବଶ୍ୟକ କରୁଥିବା ଶିଶୁ ମାନଙ୍କୁ ବିକାଶ ଦିଗରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ ଅତିଥି ଭାବେ ଯୋଗ ଦେଇ ବଲାଙ୍ଗିର ଜିଲ୍ଲାରେ ଖୁବ୍‌ ଶୀଘ୍ର ଏହି ଯୋଜନାର ସଫଳ ରୂପାୟନ କରାଯାଇ ପାରିଥିବାରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନକୁ ସାଧୁବାଦ ଜଣାଇବା ସହ ଏହି ଯୋଜନା ଜରିଆରେ ଉପକୃତ ହେଉଥିବା ହିତାଧିକାରୀମାନଙ୍କ ଭବିଷ୍ୟତ ତଥା ସେମାନେ ପାଉଥିବା ସରକାରୀ ସହାୟତାର ସୁଫଳ ସଂପର୍କରେ ନିୟମିତ ସମୟ ବ୍ୟବଧାନରେ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଶେଷ ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆଣୀର୍ବାଦ ଯୋଜନାର ରୂପରେଖ ଓ ଏହାଦ୍ୱାରା ହିତାଧିକାରୀମାନେ ପାଉଥିବା ବିଭିନ୍ନ ସରକାରୀ ସହାୟତା ସଂପର୍କରେ ସବିଶେଷ ସୂଚନା ପ୍ରଦାନ କରିବା ସହ ଜିଲ୍ଲାର ଯୋଗ୍ୟ ବିବେଚିତ ହିତାଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଅର୍ଥରାଶି ପ୍ରଦାନ ଓ ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ମାଗଣା ଶିକ୍ଷା, ଉଚ୍ଚ ଶିକ୍ଷା ନିମନ୍ତେ ଗ୍ରୀନ ପ୍ୟାସେଜ୍‌ ସହାୟତା ଆଦି ଯୋଜନାରେ ସାମିଲ କରାଯିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

ଆଜି ପ୍ରଥମ ପର୍ଯ୍ୟାୟରେ ବଲାଙ୍ଗିର ଜିଲ୍ଲାରେ ୧୩୧୩ ଜଣ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ଅର୍ଥରାଶି ପ୍ରଦାନ କରାଯାଇଛି ଏବଂ ଯଥାଶୀଘ୍ର ଅନ୍ୟ ସମସ୍ତ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ ବୋଲି ପ୍ରକାଶ କରିଥିଲେ । ଆଜି ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍‌ୱାନ୍‌ ହଲ୍‌ ସହ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ଠାରେ ଶିଶୁ ମାନଙ୍‌ୁ ଆଶୀର୍ବାଦ ଯୋଜନାରେ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପରେ ମନ୍ତ୍ରୀ ଶ୍ରୀମତୀ ସାହୁ, ନିର୍ଦ୍ଦେଶକ ଶ୍ରୀ ଅଗ୍ରୱାଲ ଓ ଜିଲ୍ଲାପାଳ ଶ୍ରୀ ରାଣା ଏହି ଯୋଜନାରୁ ଉପକୃତ ହେଉଥିବା ଶିଶୁମାନଙ୍କ ସହ ସେମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ ଆଲୋଚନା କରିବା ସହ ସେମାନଙ୍କ ସୁନ୍ଦର ଭବିଷ୍ୟତ ଗଢ଼ିବା ଦିଗରେ ପ୍ରୋତ୍ସାହିତ କରିଥିଲେ । ଆଶୀର୍ବାଦ ଯୋଜନାରେ ୧ ଏପିଲ ୨୦୨୦ ବା ତା’ପରଠାରୁ ଉଭୟ ବାପା ଓ ମା’ଙ୍କୁ ହରାଇଥିବା ଶିଶୁ, ଏକକ ଅଭିଭାବକଙ୍କୁ ହରାଇଥିବା ଶିଶୁ, ଯାହାଙ୍କ ବାପା କିମ୍ବା ମା’ଙ୍କ ମଧ୍ୟରୁ ଜଣେ ୧ ଏପ୍ରିଲ ୨୦୨୦ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି ଏବଂ ଅନ୍ୟ ଜଣେ ୧ ଏପ୍ରିଲ ୨୦୨୦ ପରେ ମୃତ୍ୟୁବରଣ କରିଛନ୍ତି, ପରିବାରର ମୁଖ୍ୟ ରୋଜଗାରକ୍ଷମ ବାପା କିମ୍ବା ମା’ଙ୍କୁ ହରାଇଥିବା ଶିଶୁ ଏହି ଯୋଜନାର ହିତାଧିକାରୀ ହୋଇପାରିବେ । ଉଭୟ ବାପା ଓ ମା’ଙ୍କୁ ହରାଇଥିବା ଶିଶୁକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ କିମ୍ବା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ହେବା ପର୍ଯ୍ୟନ୍ତ ପ୍ରତିମାସ ୨୫୦୦ ଟଙ୍କା, ଉଭୟ ବାପା ଓ ମା’ଙ୍କୁ ହରାଇଥିବା ଶିଶୁ ଯଦି ଶିଶୁ ଯତ୍ନ ଅନୁଷ୍ଠାରେ ରହୁଥିବେ ତେବେ ଶିଶୁକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ କିମ୍ବା ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ହେବା ପର୍ଯ୍ୟନ୍ତ ପ୍ରତିମାସ ୧୦୦୦ ଟଙ୍କା ଏବଂ ପରିବାର ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତି ବାପା କିମ୍ବା ମା’ଙ୍କୁ ହରାଇ ପରିବାର ମଧ୍ୟରେ ରହୁଥିବା ଶିଶୁକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ କିମ୍ବା ପୋଷ୍ୟ ସନ୍ତା ଭାବେ ଗ୍ରହଣ ହେବା ପର୍ଯ୍ୟନ୍ତ ପ୍ରତିମାସ ୧୫୦୦ ଟଙ୍କା ଅର୍ଥରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଆଜି ଅନୁଷ୍ଠିତ ଏହି ଆଶୀର୍ବାଦ ଯୋଜନା ଜରିଆରେ ଅର୍ଥରାଶି ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ପ୍ରାରମ୍ଭିକ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ଶେଷରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶୁଭଲକ୍ଷ୍ମୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ, ଡିଏସ୍‌ଏସ୍‌ଓ, ସିଡ଼ିଏମ୍‌ଓ, ଉପଜିଲ୍ଲାପାଳଙ୍କ ସମେତ ବିଡ଼ିଓ, ତହସିଲ୍‌ଦାରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.