ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ ସଂରକ୍ଷଣର ଚୂଡାନ୍ତ ତାଳିକା ପ୍ରକାଶ ପାଇବା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସର୍ଗରମ୍ ହେବାରେ ଲାଗିଛି ରାଜନୈତିକ ବାତାବରଣ, ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବଢୁଛି ଆଶାୟୀଙ୍କ ତାଲିକା ବ୍ଳକର ରାଜନୈତିକ ବାତାବରଣ ସର୍ଗରମ୍ ହେବାରେ ଲାଗିଛି । ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀମାନେ ଏବେଠାରୁ ପ୍ରସ୍ତୁତି ଚଳାଇଛନ୍ତି । ଜିଲ୍ଲା ପରିଷଦ ସଭ୍ୟରେ ପ୍ରାର୍ଥୀ ହେବା ପାଇଁ ବିଜେଡି ଏବଂ ବିଜେପିରେ ଆଶାୟୀଙ୍କ ଲମ୍ବା ତାଳିକା ବଢୁଛି । ତେବେ କଂଗ୍ରେସ ଦଳରେ କିଏ ପ୍ରାର୍ଥୀ ହେବ ତାହା ଜଣାପଡୁନାହିଁ । ସମିତି ସଭ୍ୟ ପଦ ପାଇଁ ପ୍ରତି ପଞ୍ଚାୟତରେ ବିଜେଡି ଏବଂ ବିଜେପି ଦଳରୁ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା ପାଇଁ ଅଣ୍ଟା ଭିଡୁଥିବା ଜଣାପଡିଛି । ବିଜେଡି ଏବଂ ବିଜେପି ଦଳରୁ ଟିକେଟ୍ ପାଇବାକୁ ଆଶାୟୀ ପ୍ରାର୍ଥୀମାନେ ଉଦ୍ୟମ ଜାରି ରଖିଛନ୍ତି । ବିଜେପି ଅପେକ୍ଷା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ବ୍ଳକରେ ବିଜେଡିର ଆଶାୟୀଙ୍କ ସଂଖ୍ୟା ବେଶୀ ଜଣାପଡୁଛି । କଂଗ୍ରେସ ଆଶାୟୀ ପ୍ରାର୍ଥୀ ନିରବ ରହୁ ଥିବାରୁ ଜିଲା ପରିଷଦ ଏବଂ ବ୍ଳକରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଏଥର ବିଜେଡି ବିଜେପି ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଆଲୋଚନା କରାଯାଉଛି । ପାଟଣାଗଡ଼ ବ୍ଳକର କଂଗ୍ରେସ ଏବଂ କମ୍ୟୁନିଷ୍ଟ ମଧ୍ୟରେ ମେଣ୍ଟହୋଇ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଆଲୋଚନା ଚାଲିଥିବା ଚର୍ଚ୍ଚା ହେଉଥିବାରୁ ନିର୍ବାଚନ ଗଣିତ ଓଲଟପାଳଟ ତଥା ଜଟିଳ ହୋଇ ଏହା ନିର୍ଣାୟକ ଭୂମିକା ଗ୍ରହଣ କରିବା ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଳକର ଓ ରାଜନୈତିକ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ପାଟଣାଗଡ଼, ଖପ୍ରାଖୋଲ, ବେଲପଡା ଆଦି ତିନୋଟି ବ୍ଳକରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ବିଜେପି ଅକ୍ତିଆର କରିଥିଲା । ପାଟଣାଗଡ଼କୁ ବିଜେପିର ଗଡ଼ କୁହାଯାଉଥିବା ବେଳେ ଏଥିର ପାଟଣାଗଡ଼ ବିଧାୟକ ବିଜେଡି ଦଳରେ ଥିବା ଯୋଗୁ ତିନୋଟି ବ୍ଳକରେ ବିଜେଡି ସମର୍ଥିତ ପ୍ରାର୍ଥୀ ହିଁ ବ୍ଳକ ଚେୟାରମେନ ଗଢ଼ିବ ବୋଲି ଆଲୋଚନା ଜୋରସୋର ଚାଳିଛି ।