ପାଣି ଯୋଗାଣ ନ ହୋଇ ଏରିଅର ବିଲ୍‌ ମାଗିବା ଯୋଗୁଁ ବଢୁଛି ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରକୁ ସାରା ରାଜ୍ୟରେ ଉତ୍ତପ୍ତ ସହର ଭାବେ ଲୋକେ ଜାଣନ୍ତି । ଏହି ସହରରେ ଖରା ସାଙ୍ଗକୁ ପିଇବା ପାଣିର ମଧ୍ୟ ଘୋର ଅସୁବିଧା ରହିଥିଲା, ଯାହା ଫଳରେ ଟ୍ରେନ୍ ଯୋଗେ ପିଇବା ପାଣି ଯୋଗାଣ ହେଉଥିଲା । ସେହି ସମୟରେ ‘ଟିଟିଲାଗଡ ନାଇଁ ସେ ଇଟା ତତଲାଗଡରେ ନନି’ ଗୀତ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା । ରାଜ୍ୟ ସରକାର ସହରବାସୀଙ୍କ ଦୁଃଖକୁ ହୃଦୟଙ୍ଗମ କରି ତେଲ ନଦୀରୁ ପାଇପ ଯୋଗେ ସହରକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କଲେ । ଲୋକେ ଘରକୁ ଘର ପିଇବା ପାଣି ପାଇଁ ପାଇପ ସଂଯୋଗ ନେଲେ । କିଂତୁ ପରିତାପର ବିଷୟ ସହରର ୧୫ଟି ୱାର୍ଡର କିଛି ନା କିଛି ସ୍ଥାନରେ ପାଣି ଆସି ପାରିଲା ନାହିଁ । ଏହାଦ୍ୱାରା ଟେପ୍ ଘରେ ଲଗାଇ ମଧ୍ୟ ବର୍ଷ ବର୍ଷ ଧରି ପାଣି ପାଇବାରୁ ବଞ୍ଚିତ ରହିଲେ ସହରବାସୀ । ଲୋକଙ୍କ ଅଭିଯୋଗ କ୍ରମେ ୨୦୧୯/୨୦ ମସିହାରେ ପୁଣି ପାଇପ ବିଛା ଗଲା । କିନ୍ତୁ ପାଣି ସେତେ ପରିମାଣରେ ଆସି ନ ପାରିବା ଯୋଗୁଁ ଯୋଗାଣରେ ବ୍ୟାପକ ଅସୁବିଧା ସୃଷ୍ଟି ହେଲା । ଏବେ ଟିଟିଲାଗଡ଼ର ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ଜଳସମ୍ପଦ ବିଭାଗର ମନ୍ତ୍ରୀ ହେବା ପରେ ଏହି ସମସ୍ୟା ବିଷୟରେ ଅବଗତ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କଠାରୁ ୨୫ କୋଟି ଅନୁଦାନ ଆଣି ଏହି ସମସ୍ୟାର ସମାଧାନ ଆସନ୍ତା ଅକ୍ଟୋବର ମାସ ଭିତରେ ହୋଇଯିବ ବୋଲି କହୁଛନ୍ତି ।

ବିଲ ସଂଗ୍ରହ କରିବାରେ ସହଜ ହେବ ବୋଲି ଏବେ ସହରର ପ୍ରତ୍ୟେକ ପାଇପ ସଂଯୋଗ ହୋଇଥିବା ଘରମାନଙ୍କରେ ପାଣି ମିଟର ମଧ୍ୟ ଲଗାଯାଉଛି । କିନ୍ତୁ ଯେଉଁ ଲୋକମାନେ ଆଜିକୁ ୧୦/୧୨ ବର୍ଷ ହେଲା ଘରେ ପାଣି ପାଇପ ସଂଯୋଗ କରି ମଧ୍ୟ ବର୍ଷ ବର୍ଷ ଧରି ପାଇପ୍‌ ଯୋଗେ ପାଣି ପାଇ ପାରିଲେ ନାହିଁ, ତାଙ୍କୁ ଏରିଅର ଥିବା ଟଙ୍କା ବିଲ୍‌ ମଗା ଯାଉଥିବା ଯୋଗୁଁ ବିଲ ସଂଗ୍ରହ କରୁଥିବା ଲୋକଙ୍କ ସହ ଯୁକ୍ତି ତର୍କ ହେଉଥିବା ଦେଖିବାକୁ ମିଳୁଛି । ସହରବାସୀ ପ୍ରଶ୍ନ କରୁଛନ୍ତି, ବର୍ଷ ବର୍ଷ ଧରି ପାଣି ଯୋଗାଣ ନ କରି ବିଲ କିପରି ମାଗୁଛନ୍ତି ? ହଠାତ ଲୋକଙ୍କୁ ବକେୟା ବିଲ କିପରି ମାଗୁଛନ୍ତି ?

ପୁଣି ଏଠାରେ କୁହାଯାଇଛି ଯେ, ଏବେ ମିଟର ଲାଗିବା ପରେ କିଏ କେତେ ପରିମାଣର ପାଣି ବ୍ୟବହାର କରୁଛନ୍ତି ବିଲ ଉଠିବ, ଲୋକ ଖୁସିରେ ବି ପାଣି ବିଲ ଦେବାକୁ ରାଜି । କିନ୍ତୁ ପାଣି ନ ପାଇ ବିଲ କେମିତି ମଗାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏବେ ବି ମାସକୁ ପାଖାପାଖି ୧୦ ଦିନ ପାଣି ଆସୁଛି, କିନ୍ତୁ ବିଲ୍‌ ନେଉଛନ୍ତି ମାସିକିଆ କିପରି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଏବେ ପାଣି ମିଟର ଲାଗିବା ପରେ ସଠିକ ବିଲ ଆସିଲେ ଲୋକ ମଧ୍ୟ ନିଜେ ଟଙ୍କା ଦେବାକୁ ରାଜି । ପାଣି ଯୋଗାଣ ନ କରି କିପରି ପୁରୁଣା ବିଲ ଅନୁଯାୟୀ ବକେୟା ଟଙ୍କା ମାଗୁଛନ୍ତି ସେ ବିଷୟରେ ବିଭାଗୀୟ ମନ୍ତ୍ରୀ ବିଚାର କରି ଲୋକଙ୍କୁ କିପରି ନ୍ୟାୟ ମିଳିବ, ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!