ରେଳ ଓଭର ବ୍ରିଜର ପାଣି ନିର୍ଗତ ପାଇଁ ପାଇପ ନ ଥିବାରୁ ଲୋକଙ୍କ ଉପରେ ପଡୁଛି ଅସନା ପାଣି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ବହୁ ପ୍ରତିକ୍ଷୀତ ରେଳ ଓଭର ବ୍ରିଜ ନିର୍ମାଣ ଯୋଗୁଁ ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଲେ ସହରବାସୀ । ସହରର ବିକାଶ କାର୍ଯ୍ୟର ସବୁଠୁ ବଡ଼ ଉଦାହରଣ । ପରିତାପର ବିଷୟ ଯେ, ବର୍ଷା ହେଲେ ଏହି ରେଳ ଓଭର ବ୍ରିଜ ଉପରେ ପଡୁଥିବା ବର୍ଷା ଜଳ ନିସ୍କାସନ ପାଇଁ କେବଳ ଓଭର ବ୍ରିଜରେ ଗାତ କରି ଛାଡ଼ି ଦିଆଯାଇଛି, ପାଇପ ବ୍ୟବସ୍ଥା ନ କରିବା ଯୋଗୁଁ ତଳେ ବଜାରକୁ ଆସୁଥିବା ଲୋକଙ୍କ ଉପରେ ଅସନା ପାଣି ପଡୁଛି, ଓଭର ବ୍ରିଜରୁ ପାଣି ନିସ୍କାସନ ପାଇଁ ପାଇପ ଲାଇନ ନାଳ ସହ ସଂଯୋଗ ନ କରିବା ଯୋଗୁଁ ଏ ଅବସ୍ଥା, ଯାହାକି ଟିକିଏ ବର୍ଷା ହେଲେ ଲୋକଙ୍କ ପାଇଁ ଅସୁବିଧାର କାରଣ । ବୁଦ୍ଧିଜୀବୀମାନଙ୍କ କହିବାନୁଯାୟୀ ଅନ୍ୟ ଯେତେ ସ୍ଥାନରେ ଏମିତି ଓଭର ବ୍ରିଜ ନିର୍ମାଣ ହୋଇଛି ସବୁ ବ୍ରିଜରେ ପାଣି ନିଷ୍କାସନ ପାଇଁ ପାଇପ ଲାଇନ ଯୋଗେ ତଳେ ଥିବା ଡ୍ରେନ ସହ ସଂଯୋଗ କରାଯାଇଛି । ଟିଟିଲାଗଡ଼ର ଏତେ ବଡ଼ ରେଳ ଓଭର ବ୍ରିଜ ନିର୍ମାଣ ହେଲା ଲୋକଙ୍କ ସୁବିଧା ପାଇଁ କିନ୍ତୁ ଏହି ଛୋଟିଆ ଅବ୍ୟବସ୍ଥା କାହିଁକି ଏବଂ କିପରି ହେଲା ? ଓଭରବ୍ରିଜ ନିର୍ମାଣ ପୂର୍ବରୁ ପାଣି ନିଷ୍କାସନ ପ୍ଲାନ ପ୍ରସ୍ତୁତ ହୋଇ ନ ଥିଲା କି ? ଯଦି ହୋଇନାହିଁ ତା’ହେଲେ ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କଲେ ଲୋକ ଉପକୃତ ହୋଇପାରିବେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.