ନୂଆବର୍ଷ ପୂର୍ବରୁ ପୁରୀରେ ଅସମ୍ଭାଳ ଭିଡ଼

ପୁରୀ : ନୂଆବର୍ଷ ପୂର୍ବରୁ ପୁରୀରେ ଆଜି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ନବନିର୍ମିତ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ଲାଗି ସେମାନଙ୍କଠାରେ ଉତ୍ସାହ ପରିଲକ୍ଷିତ ହୋଇଛି । ଦର୍ଶନାର୍ଥୀମାନେ ବଡଦାଣ୍ଡର ମରଚିକୋଟ୍‌‌ଠାରେ ନବ ନିର୍ମିତ ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ୍‌‌ ଦେଇ ସିଂହଦ୍ୱାର ବାଟେ ବଡଦେଉଳକୁ ଯାଇ କଡା ପୋଲିସ ସୁରକ୍ଷା ମଧ୍ୟରେ ଠାକୁରମାନଙ୍କୁ ଦର୍ଶନ କରିବାର ବ୍ୟବସ୍ଥା କରାଯାଇଛି । ସେଡ୍‌‌ ଭିତରେ ଟଏଲେଟ୍‌‌ ଓ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ରାତି ୧୨ଟା ପରେ ଦର୍ଶନାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତିସାରା ଦର୍ଶନ ବ୍ୟବସ୍ଥା କରାଯାଇଛି । ଫଳରେ ଠାକୁରଙ୍କର ପହୁଡ ନୀତି ଅନୁଷ୍ଠିତ ହେବ ନାହିଁ । ତେବେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଆସନ୍ତାକାଲିଠାରୁ ପ୍ରଶାସନ ପକ୍ଷରୁ କେତେକ କଟକଣା ଜାରି କରାଯାଇଛି । ନୂଆବର୍ଷରେ ପର୍ଯ୍ୟଟକମାନଙ୍କ ସୁରକ୍ଷାଲାଗି ୯୦ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଉଛି । ଆଜି ରାତି ୧୨ଟାରୁ ଟ୍ରାଫିକ୍‌‌ କଟକଣା ଲାଗୁ କରାଯିବ । ମରଚିକୋଟ୍‌‌ ଛକରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ନୋ-ଭେଇକିଲ ଜୋନ୍‌‌ କରାଯାଇଥିବା ବେଳେ ଆମ୍ବଲାନ୍ସ ପାଇଁ ଗ୍ରୀନ୍‌‌ କରିଡର୍‌‌ ବ୍ୟବସ୍ଥା କରାଯାଇଛି । ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଗାଡ଼ି ଚଳାଚଳ କରିବ ନାହିଁ ବୋଲି ଘୋଷଣା କରାଯାଇଛି । ସେହିପରି ଦିଗବାରେଣୀରୁ ଲାଇଟ୍‌ହାଉସ ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେଇକିଲ ଜୋନ୍‌ ଭାବେ ଘୋଷଣା କରାଯାଇଛି ।

Leave A Reply

Your email address will not be published.